ଐତିହ୍ୟ ଏମାର ମଠ ଓ ରୂପା ଇଟାର ରହସ୍ୟ ? ଇତିହାସ କହୁଛି ସବୁଠାରୁ ଧନୀ ମଠ ଥିଲା ଏମାର

1,414

କନକ ବ୍ୟୁରୋ: ୨୦୧୧ରେ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ ଏକ ପୁରାତନ ମଠରୁ ୧୮ ଟନ୍ ରୁପା ଇଟା ଠାବ ହେବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏତେ ପରିମାଣର ରୁପା ଇଟା ଆସିଲା କେଉଁଠୁ? କିଏ ଓ କାହିଁକି ଗୋଟିଏ ମଠରେ ଏତେ ପରିମାଣର ଦୁର୍ମୂଲ୍ୟ ରୁପାକୁ ଲୁଚାଇ ରଖିଥିଲା? ଏ ବାବଦରେ କାହାରିକୁ କିଛି ଜଣାନଥିଲା କିପରି? ଏହିଭଳି ଅନେକ ପ୍ରଶ୍ନର ଉତରରେ ସେତେବେଳେ କୁହାଗଲା ଯେ, ପୁରୀ ଏମାର ମଠ ଅତୀତରେ ଥିଲା ଖୁବ ବିତଶାଳୀ । ସେତେବେଳେ ରାଜା ମହାରାଜାମାନେ ମଠକୁ ଧନ ସଂପତି ଦାନ ସୂତ୍ରରେ ଦେଉଥିଲେ । ତେଣୁ ଶ୍ରୀମନ୍ଦିର ପରିଚାଳନା ପାଇଁ ଅର୍ଥର ଅଭାବ ହେଲେ ଏମାର ମଠ ହିଁ ସହଯୋଗ କରୁଥିଲା । ଏପରିକି ଓଡିଶାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ଅନେକ ଧାନ ଚାଉଳ ଦାନ କରିଥିଲା ଏମାର ମଠ ।

ହେଲେ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି ଗବେଷକ ଅନୀଲ ଧିର । କନକ ନ୍ୟୁଜ ବିଗ ଡିବେଟରେ ଭାଗ ନେଇ ଅନୀଲ ଧିର କହିଛନ୍ତି, ତତକାଳୀନ ବ୍ରିଟିସ ସରକାରଙ୍କଠୁ ବହୁ ପରିମାଣର ସୁନା ରୁପା ନେଇ ପ୍ରତିବଦଳରେ ଧାନ, ଚାଉଳ ଦେଇଥିଲା ଏମାର ମଠ । ଓଡିଶାକୁ ସବୁଠାରୁ ବଡ ବିପତି ନଅଙ୍କ ଦୁର୍ଭିକ୍ଷ ସମୟରେ ଏମାର ମଠ ଗରିବ ଭୋକିଲାଙ୍କୁ ସହାୟତା କରିଥିବା ନେଇ ଯେଉଁ ଦାବି ହେଉଥିଲା ତାକୁ ଦୃଢ ଭାବରେ ଖଣ୍ଡନ କରିଛନ୍ତି ଅନୀଲ ଧିର । ଏପରିକି ଧାନ, ଚାଉଳ ପ୍ରତିବଦଳରେ ଟଙ୍କା ନନେଇ ଏମାର ମଠ ସୁନା ରୁପା ଦାବି କରିଥିଲା ବୋଲି ସେ ଜୋର ଦେଇ କହିଛନ୍ତି । ପୋଲିସ ହେପାଜତରେ ଥିବା ଏହି ରୁପା ଇଟାକୁ ଅନୁଧ୍ୟାନ କରିବାକୁ ସୁଯୋଗସ ଦେଲେ ସେ ଏହାକୁ ପ୍ରମାଣିତ କରିପାରିବେ ବୋଲି ମଧ୍ୟ କହିଛନ୍ତି ।

ଅନ୍ୟପକ୍ଷରେ ୨୦୧୧ରେ ଏମାର ମଠରୁ ଉଦ୍ଧାର ହୋଇଥିବା ୧୮ଟନର ୫୨୨ ଖଣ୍ଡ ରୁପା ଇଟାକୁ ପୁରୀ ପୋଲିସର ଅସ୍ତ୍ରାଗାରରେ ରଖାଯାଇଛି । ବରୁଣ ବରାଳ ଏହି ଇଟାକୁ ଚୋରି କରିଥିଲେ କିମ୍ବା ମଠର କେହି ବ୍ୟକ୍ତି ତାଙ୍କୁ ଏଥିରେ ସହାୟତା କରିଥିଲା ସେ ବାବଦରେ ମଧ୍ୟ ଆଜି ଯାଏଁ କାହା ବିରୋଧରେ ଚାର୍ଜସିଟ୍ ହୋଇନଥିବା କୁହାଯାଉଛି । ଯାହାକୁ ନେଇ ଆପତି ଉଠାଇଛନ୍ତି ବିରୋଧୀ ଦଳ ନେତା । ପୁରୀ ଏମାର ମଠରେ ମରାମତି ଚାଲିଥିବାବେଳେ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ ବରୁଣ ବରାଳ । ଆଉ କାମ କଲାବେଳେ ଏହି ରୁପା ଇଟାର ସନ୍ଧାନ ପାଇଥିଲେ । ଅନ୍ୟକିଛି ସହଯୋଗୀଙ୍କ ସହ ଏହାକୁ ଚୋରି କରି ଆଣି ବିକ୍ରି କରିବାକୁ ପ୍ରୟାସ କରୁଥିଲେ ବୋଲି ସେତେବେଳେ ପୋଲିସ କହିଥିଲା ।

ତେବେ ୮ବର୍ଷ ତଳର ରୂପା ଇଟାର ରହସ୍ୟ ଜାଣିବାକୁ ସମସ୍ତେ ଉକ୍ରଣ୍ଠିତ । ଯେତେବେଳେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱା ସମ୍ମୁଖରେ ଥିବା ଏମାର ମଠରୁ ମିଳିଥିଲା ପୁଳା ପୁଳା ରୁପା ଇଟା । ଚୋର ହାତରେ ଲାଗିଥିବା ଏକ ରୁପା ଇଟାର ଛାନଭିନ କରୁକରୁ ଏହାର ଚେର ୯ଶହ ବର୍ଷ ପୁରୁଣା ଏମାର ମଠରେ ଥିଲା । ଆଉ ଛାନଭିନ୍ ବେଳେ ପୁରୀର ଏହି ସବୁଠାରୁ ବିତଶାଳୀ ମଠରୁ ଉଦ୍ଧାର ହେଲା ସମସ୍ତଙ୍କୁ ଚକିତ କରିଦେଲା ଭଳି ରୁପା ଖଣି । ୪ଟି କାଠ ସିନ୍ଦୁକରୁ ମୋଟ୍ ୫ଶହ ୨୨ ଖଣ୍ଡ ରୁପା ଇଟା ଆବିଷ୍କାର ହୋଇଥିବାବେଳେ ଗୋଟିଏ ଗୋଟିଏ ଇଟାର ଓଜନ ଥିଲା ୩୫ରୁ ୪୦ କିଲୋ । ୧୮ ଟନ୍ ଓଜନର ଏହି ରୁପା ଇଟାଗୁଡିକର ସେତେବେଳେ ଆନୁମାନିକ ମୂଲ୍ୟ ପ୍ରାୟ ୯୦ କୋଟି ବୋଲି ଆକଳନ କରାଯାଇଥିଲା ।