ସେବାୟତ ଦାନ ମାଗିଲେ ପୋଲିସରେ ଜଣାଅ ! ସେବାୟତଙ୍କୁ ଦାନ ନ ଦେବାକୁ ଫଳକ ଲଗାଇଲା ପ୍ରଶାସନ

32

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିରରେ ଲାଗିଲା ସାଇନବୋର୍ଡ । ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ସେମାନଙ୍କ ଦାନ ଅର୍ଥ, ଦ୍ରବ୍ୟ କିମ୍ବା ଅଳଙ୍କାର ଠାକୁରଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାକୁ ଚାହୁଁଥିଲେ ଏହାକୁ ଦାନବାକ୍ସରେ ପକାଇ ପାରିବେ କିମ୍ବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦେଇ ରସିଦ ଗ୍ରହଣ କରିପାରିବେ । ଏ ବାବଦରେ ଭକ୍ତମାନଙ୍କୁ ସଚେତନ କରିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଚାରିଟି ବଡବଡ ସୂଚନା ଫଳକ ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ ।

ଗତ ୮ ତାରିଖରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ ଆଧାର କରି ଏହି ସୂଚନା ଫଳକ ଲଗାଇଛି ପ୍ରଶାସନ । ଏଥିସହ ସେବାୟତ, ସେମାନଙ୍କ ସହଯୋଗୀ କିମ୍ବା କେହି କର୍ମଚାରୀ ଭକ୍ତଙ୍କଠାରୁ ଦାନ, ଦାବି କଲେ ଏ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟ କିମ୍ବା ପୋଲିସରେ ଜଣାଇବାକୁ ମଧ୍ୟ ଏଥିରେ ଅପିଲ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତରବରିଆ ଭାବେ ଲାଗୁ କରାଯାଇଛି ବୋଲି ସେବାୟତଙ୍କ ଅଭିଯୋଗ ଭିତରେ ଏହି ସୂଚନା ଫଳକ ପୁଣିଥରେ ସେବାୟତ ଓ ପ୍ରଶାସନ ଭିତରେ ମୁହାଁମୁହିଁ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ହେଲେ ବର୍ଷବର୍ଷ ଧରି ସେବାୟତ ଓ ପଣ୍ଡାଙ୍କ ଦୌରାତ୍ମ୍ୟର ଶିକାର ହୋଇଆସୁଥିବା ଭକ୍ତମାନେ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।