ସିଦ୍ଧୁଙ୍କ ଇସ୍ତଫାକୁ ଗ୍ରହଣ କଲେନି ହାଇକମାଣ୍ଡ : ମନାଇବାକୁ ଚାଲିଛି ଉଦ୍ୟମ

ଚଣ୍ଡିଗଡ଼ ଯାଉଛନ୍ତି ବରିଷ୍ଠ ନେତା ହରିଶ ରାୱାତ; କ୍ୟାବିନେଟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

147

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସ ରାଜନୀତି ନେଉଛି ନାଟକୀୟ ମୋଡ଼ । ପ୍ରଦେଶ କଂଗ୍ରେସ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରି ନାହାନ୍ତି ହାଇକମାଣ୍ଡ । ତାଙ୍କୁ ମନାଇବାକୁ ଉଦ୍ୟମ କରାଯାଉଛି । ଆଜି ଚଣ୍ଡିଗଡ଼ ଯାଉଛନ୍ତି ବରିଷ୍ଠ ନେତା ହରିଶ ରାୱତ ଓ ହରିଶ ଚୌଧୁରୀ । ସେପଟେ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ଆଜି କ୍ୟାବିନେଟ ବୈଠକ ଡାକିଛନ୍ତି । ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସିଦ୍ଧୁ ଲେଖିଛନ୍ତି, ପଞ୍ଜାବର ଭବିଷ୍ୟତ ଓ ବିକାଶର ଏଜେଣ୍ଡାରେ ସେ ସାଲିସ କରିପାରିବେ ନାହିଁ ।

ତେଣୁ ସଭାପତି ପଦରୁ ସେ ଇସ୍ତଫା ଦେଉଛନ୍ତି । ସେପଟେ ଇସ୍ତଫାକୁ ଟ୍ୱିଟ୍ କରି କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ସେ ଲେଖିଛନ୍ତି, ସିଦ୍ଧୁ ଜଣେ ଅସ୍ଥିର ବ୍ୟକ୍ତି, ପଞ୍ଜାବ ଭଳି ସୀମାନ୍ତ ରାଜ୍ୟ ପାଇଁ ସେ ଯୋଗ୍ୟ ନୁହନ୍ତି । ସେପଟେ ଅମରିନ୍ଦର ସିଂହ ଦିଲ୍ଲୀ ଗସ୍ତରେ ଅଛନ୍ତି । କିଛି ଜାତୀୟ ନେତାଙ୍କୁ ସେ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବର ଜଣେ ମନ୍ତ୍ରୀ ଓ ୪ ନେତା ବି ଦଳୀୟ ପଦବୀ ଛାଡିଛନ୍ତି ।