ବିଦେଶୀ ଖବରକାଗଜରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପରେ ଚର୍ଚ୍ଚା, ସ୍ଥାନ ପାଇଲା ଭକ୍ତଙ୍କ ଦାନ ସୁନାରୁ ୪କିଲୋ ଗାଏବ ପ୍ରସଙ୍ଗ

32

କନକ ବ୍ୟୁରୋ : ବିଦେଶୀ ଖବରକାଗଜରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ଆମେରିକାରୁ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି ରତ୍ମଭଣ୍ଡାର ଯାଂଚ ଓ ଚାବି ହଜିବା ପ୍ରସଙ୍ଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ଏପ୍ରିଲ ୪ ତାରିଖରେ ଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଯାଂଚ ପାଇଁ କିଭଳି ଏଏସଆଇ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଯାଇଥିଲେ ଓ ବାହାରୁ ଯାଂଚ କରି ଫେରିଆସିଥିଲେ ସେ ନେଇ ଉଲ୍ଲେଖ କରିଛି ଖବରକାଗଜ । ଏପରିକି ପ୍ରାୟ ଦୁଇମାସ ପରେ ରତ୍ନଭଣ୍ଡାର ଚାବି ହଜିଯାଇଥିବା ଜଣାପଡିବା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳି କରାଯିବା କଥା ମଧ୍ୟ ଉଲ୍ଲେଖ ରହିଛି । ଭକ୍ତଙ୍କ ଦାନ ସୁନାରୁ ପ୍ରାୟ ୮ ପାଉଣ୍ଡ ବା ୪କିଲୋ ସୁନାର ପତ୍ତା ନମିଳିବା ପ୍ରସଙ୍ଗକୁ ମଧ୍ୟ ସ୍ଥାନିତ କରିଛି ଏହି ଅନ୍ତର୍ଜାତୀୟ ଖବରକାଗଜ ।

ସୂଚନାଯୋଗ୍ୟ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବେଶ୍ କିଛି ଦିନ ରାଜନୀତି ଲାଗିରହିଥିଲା । ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଚାଲିଥିଲା ଖଣ୍ଡଯୁଦ୍ଧ । ଚାବି ହଜିବା ପରେ ପୁଣି ଥରେ ଡୁପ୍ଲିକେଟ୍ ଚାବି ମିଳିବା ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେବେ ଏବେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ ।