ସେବାୟତ ଓ ସେମାନଙ୍କ ପିଲାଙ୍କ ପାଇଁ ଦିଆଯିବ ସ୍ୱତନ୍ତ୍ର ଶିକ୍ଷା : ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ଗୁରୁତ୍ୱପୂର୍ଣ ବୈଠକ

33

କନକ ବ୍ୟୁରୋ : ସେବାୟତମାନଙ୍କ ପାଇଁ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ଚିନ୍ତା । ସେବାୟତ ଓ ସେମାନଙ୍କ ପିଲାଙ୍କ ପାଇଁ ଉଚିତ୍ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଶୃଙ୍ଖଳିତ ମନ୍ଦିର ପରିଚାଳନା ପାଇଁ ମଧ୍ୟ ସେମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ଶିକ୍ଷା । ଏଥିସହିତ ଜଗନ୍ନାଥ ସଂସ୍କୃତିର କିଭଳି ବିଶ୍ୱବ୍ୟାପୀ ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେନେଇ କମିଶନଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା ।

ଏହି ବୈଠକରେ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି, ପର୍ଯ୍ୟଟନ ସଚିବ, ଆଇନ ସଚିବ ଓ ଅନ୍ୟ ପଦାଧିକାରୀ ଯୋଗ ଦେଇଥିଲେ । ଆସନ୍ତାକାଲି ଏହି ସବୁ ବିଷୟ ଉପରେ ଅଧିକ ବିସ୍ତୃତ ଆଲୋଚନା ପାଇଁ ବୁ୍ଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ମଧ୍ୟ ବସିବାର ଅଛି ବୋଲି ଶ୍ରୀମନ୍ଦିର କମିଶନ ମୁଖ୍ୟ ଜଷ୍ଟିସ୍ ବି.ପି.ଦାସ ସୂଚନା ଦେଇଛନ୍ତି । ତେବେ କମିଶନଙ୍କ ପକ୍ଷରୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟରେ ଏହି ସବୁ ବିଷୟ ସ୍ଥାନ ପାଇବ ଏବଂ ଏହା ନଭେମ୍ବର ବେଳକୁ ପ୍ରଦାନ କରାଯିବ ବୋଲି କହିଛନ୍ତି କମିଶନ ।