ଆଜିଠୁ ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ପୁରୀ ସହରବାସୀ । ସେପଟେ ସ୍ୱର୍ଗ ଦ୍ୱାରରେ ଶବଦାହ କଲେ ଜିଲ୍ଲା ବାହାର ଲୋକ । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହେଉଛି ଶବ ସତ୍କାର ।

141

କନକ ବ୍ୟୁରୋ: ଧୀରେ ଧୀରେ ଖୋଲୁଛି ପୁରୀ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଦର୍ଶନ ନପାଇ ୪ ମାସ ଧରି ଆତୁର ହୋଇ ଚାହିଁ ରହିଥିଲେ ଭକ୍ତ, ଆଉ ଏବେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଅନୁମତି ମିଳିବା ପରେ ବଡଦେଉଳ ସାମ୍ନାକୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ । ମନରେ ଗୋଟିଏ ଆଶା ବଡଦେଉଳକୁ ଯିବେ ତାଙ୍କ ଭାବର ଭାବଗ୍ରାହୀଙ୍କ ଦର୍ଶନ କରିବେ ।

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିଛି । ଅଗଷ୍ଟ ୧୬ରୁ ୨୦ଯାଏଁ ୪ ଦିନ ଧରି ସହରବାସୀ ଶ୍ରୀଜିଉଙ୍କ ଦର୍ଶନ କରିବେ । ଏଥିପାଇଁ ପୌରସଂସ୍ଥା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ଟୋକନ ସହ ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟ ପ୍ରମାଣପତ୍ର ଦେଖାଇ ବଡଠାକୁରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ପ୍ରମାଣପତ୍ର ଯାଞ୍ଚ, ଫଟୋ ଉତ୍ତୋଳନ, ସଂଖ୍ୟା ଗଣତି ସହ ସାନିଟାଇଜ୍ ପାଇଁ ୮ଟି କିଓସ୍କ ଲଗାଯାଇଛି । ରାଜନଅର ଠାରୁ ବାରିକେଡିଂ କରାଯାଇ ଥିବା ବେଳେ ଜୋତାଷ୍ଟାଣ୍ଡ ଠାରୁ ଅଲଗା ବାରିକେଡିଂ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

ସେପଟେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଖୋଲିଛି ପୁରୀ ସ୍ୱର୍ଗଦ୍ୱାର । ସ୍ୱର୍ଗଦ୍ୱାର ସବୁ ହିନ୍ଦୁଙ୍କ ଭାବାବେଗ ସହ ଜଡିତ । ଏଠାରେ ଶବଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ଶବଦାହ ପାଇଁ ଆସିଥାଏ କିନ୍ତୁ କରୋନା ଯୋଗୁଁ ପୁରୀ ବାହାର ଲୋକଙ୍କ ଶବଦାହ ମନା କରାଯାଇଥିଲା । ଏବେ ପୁଣି ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିଛି । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଜିଲ୍ଲା ବାହାର ଲୋକ ଶବ ସତ୍କାର କରୁଛନ୍ତି । ଶବଦାହ ବେଳେ ୧୦ଜଣ ପ୍ରବେଶ ନେଇ ଅନୁମତି ଦେଇଛନ୍ତି ପୁରୀ ପ୍ରଶାସନ ।

ମହାମାରୀ ଯୋଗୁଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ । କେବଳ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ନୀତିକାନ୍ତି ଚାଲିଥିବା ବେଳେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏବେ ପୁରୀ ଖୋଲୁଛି ଆଉ ପର୍ଯ୍ୟାକ୍ରମେ ଦର୍ଶନ ପାଇଁ ଅନୁମତି ମିଳୁଛି ।