ଅଫତାବ ପାର୍ଟ-୨, ମାଉସୀକୁ ମାର୍ବଲ କଟରରେ ୮ ଖଣ୍ଡ କରିଦେଲା ଭଣଜା

218

କନକ ବ୍ୟୁରୋ : ଶ୍ରଦ୍ଧାକୁ ଅଫତାବ ୩୬ ଖଣ୍ଡ କରି କାଟିବା ଘଟଣାକୁ ମାସେ ନପୁରୁଣୁ ପୁଣି ଏକ ହୃଦୟ ବିଦାରକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଜୟପୁରର । ଅଫତାବ ପ୍ରେମ ପାଇଁ ଶ୍ରଦ୍ଧାକୁ ହତ୍ୟା କରିଥିବା ବେଳେ ଏଠାରେ ଜଣେ ଭଣଜା କିଛି ଘରୋଇ କଳିକୁ ନେଇ ନିଜ ମାଉସୀକୁ ମାର୍ବଲ କଟରରେ କାଟି ୮ ଖଣ୍ଡ କରିଦେଇଛି । ଠିକ୍ ଅଫତାବ ଶ୍ରଦ୍ଧାର ମାଂସ ଖଣ୍ଡକୁ ଜଙ୍ଗଲରେ ଫିଙ୍ଗିବା ଭଳି ଏଠାରେ ଭଣଜା ଜଣଙ୍କ ନିଜ ମାଉସୀର ମାଂସ ଖଣ୍ଡକୁ ଦିଲ୍ଲୀ ରୋଡ ସ୍ଥିତ ଏକ ଜଙ୍ଗଲରେ ଫିଙ୍ଗି ଦେଇଛି ।

ପୋଲିସର ସୂଚନା ମୁତାବକ ଏହି ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ନାମ ସରୋଜ ଶର୍ମା । ସେ କିଛିଦିନ ତଳୁ ଘରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥଲେ ଭଣଜା ଅନୁଜ । ଅନୁଜଙ୍କ ମାଙ୍କର କରୋନା ସମୟରେ ଦେହାନ୍ତ ହୋଇଯିବାରୁ ସେ ତାଙ୍କ ମାଉସୀ ସରୋଜ ଶର୍ମାଙ୍କ ନିକଟରେ ରହୁଥିଲା ।

ପୋଲିସ କହିଛି କି ଡିସେମ୍ବର ୯ ତାରିଖରେ ଅନୁଜ ଦିଲ୍ଲୀ ଯିବାକୁ ବାହାରିଥିବା ବେଳେ ମାଉସୀ ସରୋଜ ତାଙ୍କୁ ମନା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ଅନୁଜ । ଏହାପରେ ସେ ଏକ ହାତୁଡି ସହାୟତାରେ ସରୋଜଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲା । ଏହି ସମୟରେ ସରୋଜଙ୍କ ପରିବାରର ଅନ୍ୟଲୋକମାନେ ରାଜସ୍ଥାନରୁ ବାହାରକୁ ଯାଇଥିଲେ ।

ଏହାପରେ ଅନୁଜ ମାଉସୀ ସରୋଜଙ୍କ ମୃତଦେହକୁ ବାଥରୁମ ଭିତରେ ପକାଇ ଏକ ମାର୍ବଲ କଟର ସହାୟତାରେ ୮ ଖଣ୍ଡ କରି କାଟି ଦେଇଥିଲେ । ଶବକୁ ବସ୍ତାରେ ପୁରାଇ ଦିଲ୍ଲୀ ରୋଡ ସ୍ଥିତ ଏକ ଜଙ୍ଗଲରେ ପକାଇ ଦେଇଥିଲା । ଏସବୁ କରିବା ପରେ ଚାଲାକି କରି ନିଜେ ଯାଇ ଥାନାରେ ମାଉସୀ ସରୋଜ ନିଖୋଜ ଥିବା କଥା ଅଭିଯୋଗ କରିଥିଲା । ହେଲେ ପୋଲିସ ଯେତେବେଳେ ପ୍ରାଥମିକ ତଦନ୍ତ ଆରମ୍ଭ କଲା ସେତେବେଳେ ସେ ଘର ନିକଟ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଯାଂଚ କରିଥିଲା । ଏଥିରେ ଦେଖିବାକୁ ମିଳିଥିଲା କି ଅନୁଜ ଏକ ବସ୍ତା ନେଇ ବାହାରକୁ ଯାଉଛନ୍ତି । ଏଥିରୁ ପୋଲିସର ସନ୍ଦେହ ହୋଇଥିଲା । ଏହାପରେ ସେ ଅନୁଜଙ୍କ ପଚରା ଉଚରା କରିବାରୁ ଅନୁଜ ସବୁ ସତ ମାନିଯାଇଛି ।