କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ, ଗୁଳି କରି ବିଜେପି ନେତାଙ୍କୁ ହତ୍ୟା

297

କନକ ବ୍ୟୁରୋ : କାଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗତ ୨ ବର୍ଷ ହେବ ଆତଙ୍କବାଦୀମାନେ ବିଶେଷ ଭାବେ ବିଜେପି ନେତାଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି । ଦକ୍ଷିଣ କାଶ୍ମୀର କୁଲଗ୍ରାମ ଜିଲ୍ଲାର ବ୍ରାଜଲୁ ଅଞ୍ଚଳର ବିଜେପି ନେତା ଜାବୀଦ ଅହମଦ ଡାରଙ୍କୁ ଆତଙ୍କବାଦୀମାନେ ଘରେ ପସି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ଦ ରେଜିମେଣ୍ଟ ଫ୍ରଣ୍ଟ କରିଛି ବୋଲି ନିଜେ ସଂଗଠନ ଘୋଷଣା କରିଛି । ପୋଲିସ କହିବା ମୁତାବକ ଏହି ସଂଗଠନକୁ ଲସ୍କର ଇ-ତୋଇବା ଚଳାଉଛି ।

ଡାରଙ୍କ ହତ୍ୟାପରେ ପୋଲିସ ଓ ସିଆରପିଏଫ ଜବାନ ମାନେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ଏହାସହ ଆତଙ୍କବାଦୀମାନଙ୍କ ସନ୍ଧାନ କରୁଛି ପୋଲିସ । ଡାର କୁଳଗ୍ରାମ ଜିଲ୍ଲାର ହେମଶାଲୀବାଗ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରଭାରୀ ଥିଲେ । ତାଙ୍କ ହତ୍ୟାକୁ ବିଜେପି ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । କାଶ୍ମୀର ବିଜେପିର ମିଡିଆ ସେଲ ମୁଖ୍ୟ ମଞ୍ଜୁର ଅହମ୍ମଦ ଏନେଇ ଦୁଖ ପ୍ରକାଶ କରିବା ସହ ଡାରଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଏହାପୂର୍ବରୁ ଗତ ଗୁରୁବାର ଦିନ ଆତଙ୍କବାଦୀମାନେ ରାଜୋରୀ ଠାରେ ବିଜେପି ମଣ୍ଡଳ ପ୍ରଧାନ ଜଶବୀର ସିଂଙ୍କ ଘରକୁ ଟାର୍ଗେଟ୍ କରି ଗ୍ରେନେଡ ମାଡ କରିଥିଲେ । ଏହାସହ କିଛିଦିନ ପୂର୍ବରୁ ଅନନ୍ତନାଗ ଠାରେ ଜଣେ ବିଜେପି ନେତା ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ ।