ଖରା ଆରମ୍ଭରୁ ଉତ୍କଟ ହେଲାଣି ଜଳକଷ୍ଟ । କୋଣାର୍କରେ ପାଣି ପାଇଁ ପର୍ଯ୍ୟଟକ ଅସନ୍ତୋଷ । ପିପିଲି ଓ କୋରାପୁଟରେ ମଧ୍ୟ ପିଇବା ପାଣି ପାଇଁ ହାହାକାର ।

71

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରରେ ପାଣି ପାଇଁ ଠେଲାପେଲା । ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ । ଆଜି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଲାଗି ରହିଥିବାବେଳେ ପର୍ଯ୍ୟଟକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ଏଠାରେ ପିଇବା ପାଣି ପାଇଁ ନାହିଁ କୌଣସି ବ୍ୟବସ୍ଥା । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୌଣସି ବନ୍ଦୋବସ୍ତ କରାଯାଉନଥିବାରୁ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗୋଟିଏ ମାତ୍ର ଟ୍ୟୁବୱେଲ ଥିବା ବେଳେ ପାଣି ପାଇଁ ସେଠାରେ ଆଜି ଭିଡ଼ ଦେଖିବାକୁ ମିଳିଥିଲା । ପାଣି ମୁନ୍ଦେ ପାଇଁ ଠେଲା ପେଲା ହେବା ସହ ସେଠାରେ ଯେମିତି ପ୍ରତିଯୋଗିତା ଲାଗିଥିଲା ।

ଅନ୍ୟପଟେ ଟାଙ୍କି ଅଛି ହେଲେ ପାଣି ନାହିଁ । ଭୂତଳ ପାଇପ ବିଛାଯାଇଛି ହେଲେ ଲୋକଙ୍କୁ ମିଳୁନି ପିଇବା ପାଣି । ସରକାରଙ୍କ ବସୁଧା ଯୋଜନା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି । ପାଣି ପାଇଁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ଆସିଛି ଏଭଳି ପାଣି ସମସ୍ୟାର ଖବର । ପିପିଲି ବ୍ଲକର ୨୫ଟି ପଞ୍ଚାୟତରେ ନିର୍ମାଣ ହୋଇଥିବା ୬୫ଟି ପାଣି ଟାଙ୍କି ମଧ୍ୟରୁ ୩୪ଟି ଅଚଳ ପଡ଼ିଛି । ସେହିପରି ମଙ୍ଗଳପୁର, କୁଳଶେଖର ପାଟଣା ଓ ଦୁର୍ଗାଦାଶପୁର ପଞ୍ଚାୟତର ପାଖାପାଖି ୫ହଜାର ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି । ନିମ୍ନମାନର କାମ ଯୋଗୁଁ ଅନେକ ସ୍ଥାନରେ ପାଇପ ଫାଟି ଯାଇଛି । ବାରମ୍ବାର ଲିଖିତ ଅଭିଯୋଗ ପରେ ବି ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ କୋରାପୁଟ ନନ୍ଦପୁର ବ୍ଲକ ଗୁଡ଼ା ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ଡ଼ହଳବିକଳ ହେଉଛନ୍ତି । ଝାଙ୍କରଗୁଡ଼ା ଗାଁରେ ୧୦୦ ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ପାନୀୟ ଜଳ ପାଇଁ ଦୁଇଟି ନଳକୂପ ରହିଥିଲେ ମଧ୍ୟ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ଅନ୍ୟ ନଳକୂପରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ବ୍ୟବହାର କରୁନାହାନ୍ତି । ପାନୀୟ ଜଳ ପାଇଁ ବର୍ଷ ବର୍ଷ ଧରି ଗାଁ ଠାରୁ ଅଧ କିଲୋମିଟର ଦୂରରେ ଥିବା ଏକ ମଶାଣୀ ଚୁଆରୁ ଜଳ ସଂଗ୍ରହ କରିବାକୁ ପଡୁଛି । ମଶାଣୀ ଛୁଆର ଦୂଷିତ ଜଳ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଦୁଃଖର ସହ ଅଭିଯୋଗ କରିଛନ୍ତି ।