ଫ୍ରାନ୍ସ ଡିଜାଇନରଙ୍କ ନିଆରା ପ୍ରୟାସ, ସମୁଦ୍ର ବର୍ଜ୍ୟରୁ ପ୍ରସ୍ତୁତ କଲେ ପରିବେଶ ଅନୁକୂଳ ଜୋତା

114

କନକ ବ୍ୟୁରୋ : ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବୈଜ୍ଞାନିକମାନେ କେତେ କଣ ଉପାୟ ଉପରେ ଜୋର ଦେଉଛନ୍ତି । ହେଲେ ଜଣେ ଡିଜାଇନର ଏବେ ପରିବେଶ ସୁରକ୍ଷା ପାଇଁ ଏକ ନିଆରା ଜୋତା ପ୍ରସ୍ତୁତ କରିଛନ୍ତି । ସବୁଠାରୁ ବଡକଥା କି ସମୁଦ୍ରରୁ ମିଳୁଥିବା ବର୍ଜ୍ୟବସ୍ତୁରୁ ଏହି ଜୋତା ପ୍ରସ୍ତୁତ କରାଯାଇଛି । ଯାହାକୁ କି ପରିବେଶ ଅନୁକୂଳ ବୋଲି କୁହାଯାଉଛି ।

ସୂଚନା ମୁତାବକ ଫ୍ରାନ୍ସର ଡିଜାଇନର ଇଉକିନ ରିକୋନିୟସ ସମୁଦ୍ରରୁ ମିଳୁଥିବା ସାମୁକା ଖୋଳ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁରୁ ଏହି ଜୋତା ପ୍ରସ୍ତୁତ କରିଛନ୍ତି । ଏହି ଜୋତା ଷ୍ଟାଇଲ ସହିତ ପରିବେଶ ସୁରକ୍ଷାରେ ସହାୟକ ହେବ ବୋଲି ରିକୋନିୟସ ଦାବି କରିଛନ୍ତି । ଏହାସହ ସମୁଦ୍ର ତଟକୁ ପ୍ରଦୁଷିତ କରୁଥିବା ବର୍ଜ୍ୟ ବି ଏହି ମାଧ୍ୟମରେ ସଫା ହୋଇପାରିବ ବୋଲି ସେ କହିଛନ୍ତି । ଆସନ୍ତା ଜୁନ ୮ ତାରିଖରେ ବିଶ୍ୱ ସାଗର ଦିବସ ପାଳନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ଣଖି ରିକୋନିୟସ ‘ଇଆର ସୋଲିୟର’ ନାମକ ଏହି ଜୋତା ଲଞ୍ଚ୍ କରିବାକୁ ଯାଉଛନ୍ତି ।

ରିକୋନିୟସ କହିଛନ୍ତି କି ଏଭଳି ପୁନଃଚକ୍ରଣ ପ୍ରକ୍ରିୟା ଜରିଆରେ ସାମୁଦ୍ରିକ ବର୍ଜ୍ୟ ଓ ଅବ୍ୟବହୃତ ବସ୍ତୁଗୁଡିକୁ ନୂଆ ଜୀବନ ଦିଆଯାଇପାରିବ । ସମୁଦ୍ର ଓ ମହାସାଗରଗୁଡିକର ପ୍ରଦୂଷଣ ରୋକିବା ତାଙ୍କର ମୁଖ୍ୟ ଉର୍ଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

କହିରଖୁ କି ରିକୋନୟସଙ୍କ ଦ୍ୱାରା ଡିଜାଇନ ହୋଇଥିବା ‘ଇୟର ସୋଲିୟର ଜୋତା’ ପର୍ତ୍ତୁର୍ଗାଲର ଏକ କର୍ମଶାଳାରେ ପ୍ରସ୍ତୁତ ହୋଇଛି । ଏଥିରେ ମାଛଧରା ଜାଲ, ସମୁଦ୍ର ଖାଦ୍ୟର ଖୋଳପା, ସବୁଜ ଶୈବାଳ, ଚମଡା ସ୍କ୍ରାପରେ ଗୁଡାଇ ହୋଇଥିବା ବର୍ଜ୍ୟକୁ ପୁନଃଚକ୍ରଣ ରବର ଆଦିରୁ ଏହି ଜୋତା ପ୍ରସ୍ତୁତ ହୋଇଛି । ଏହି ଜୋତାର ପ୍ରାରମ୍ଭିକ ମୂଲ୍ୟ ୯୦ ୟୁରୋ ରହିଛି ।