ଅପେକ୍ଷା କର… ଫାଇନାଲରେ ପୁଣି ହେବା ଭେଟାଭେଟି । ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ମୁହଁ ଫୁଟାଣି ମାରିଲେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ।

2,558

କନକ ବ୍ୟୁରୋ : ପାକିସ୍ତାନର ଭାଗ୍ୟ ଯେମିତି ଟାଣ । ପାକିସ୍ତାନ ଖେଳାଳୀଙ୍କ ମୁହଁ ସେମିତି ଟାଣ । ଭାଗ୍ୟ ବଳରେ ଟି-୨୦ ବିଶ୍ୱକପ ସେମିଫାଇନାଲ ଟିକେଟ ପାକିସ୍ତାନ ହାତେଇବା ପରେ ଏବେ ମୁହଁ ଫୁଟାଣି ମାରୁଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ଦୁର୍ବଳ ନେଦରଲାଣ୍ଡସ ଠାରୁ ଦକ୍ଷିଣ ଆଫ୍ରିକାର ପରାଜୟ ପରେ ସେମିଫାଇନାଲ ରେସରୁ ଏକପ୍ରକାର ବାଦ୍ ପଡିଥିବା ପାକିସ୍ତାନ ପାଇଁ  ପୁଣିଥରେ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବା ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ନେଦରଲାଣ୍ଡସ ଯଦି ଶେଷ ଲିଗ୍ ମ୍ୟାଚରେ ବିପର୍ଯ୍ୟୟ ଘଟାଇ ନଥାନ୍ତା ତେବେ ପାକିସ୍ତାନର ବିଶ୍ୱକପ ଅଭିଯାନ ଶେଷ ହୋଇଯାଇଥାନ୍ତା । କିନ୍ତୁ ଏହାକୁ ଗ୍ରହଣ କରିବା ପରିବର୍ତ୍ତେ ସୋସିଆଲ ମିଡ଼ିଆରେ ଏବେ ମୁହଁ ଫୁଟାଣି ମାରୁଛନ୍ତି ସୋଏବ ଅଖତର ।

ଟି-୨୦ ବିଶ୍ୱକପର ସେମିଫାଇନାଲ ଟିକେଟ ପାକିସ୍ତାନ ହାତେଇବା ପରେ ସୋଏବ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭାରତୀୟ କ୍ରିକେଟପ୍ରେମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ପାକିସ୍ତାନ ଟି-୨୦ ବିଶ୍ୱକପରୁ ବିଦା ହେଲା ବୋଲି କହୁଥିଲେ ନା । ଏବେ ଅପେକ୍ଷା କର, ପୁଣିଥରେ ଭେଟଘାଟ ହେବ । ଯଦି ଭାରତ-ପାକିସ୍ତାନ ଫାଇନାଲରେ ଏଣ୍ଟ୍ରି କରୁଛନ୍ତି ତେବେ ଏହା ବହୁତ ଭଲ ହେବ, କିନ୍ତୁ ସେମିଫାଇନାଲରୁ ଯଦି କେହି ବିଦାୟ ନେଉଛନ୍ତି ତେବେ ଭଲ ଲାଗିବନି । ଏହାଛଡା ସୋଏବ କହିଛନ୍ତି, ଚଳିତ ଟି-୨୦ ବିଶ୍ୱକପରେ କୌଣସି ଟିମ୍ ସେଭଳି ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇନାହାନ୍ତି । ସମସ୍ତ ଟିମ୍ ଖରାପ ଖେଳିଛନ୍ତି । ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି, ଇଂଲଣ୍ଡ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନାହିଁ । କିନ୍ତୁ ପାକିସ୍ତାନ ଶେଷ ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି ।

ଏହାବାଦ୍ ଦକ୍ଷିଣ ଆଫ୍ରିକା ଟିମକୁ ଧନ୍ୟବାଦ ଜଣାଇଛନ୍ତି ସୋଏବ ଅଖତର । ଦକ୍ଷିଣ ଆଫ୍ରିକା ବଡ ଚୋକର୍ସ କହିଛନ୍ତି ସୋଏବ । ଏପରିକି ଦକ୍ଷିଣ ଆଫ୍ରିକା ହାରିବା କାରଣରୁ ପାକିସ୍ତାନକୁ ଲାଇଫଲାଇନ ମିଳିଛି । ନଚେତ୍ ଜିମ୍ବାୱେ ଠାରୁ ପରାଜିତ ହୋଇଥିବା ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା ବୋଲି ଅଖତର କହିଥିଲେ । ଆମକୁ ବିଶ୍ୱକପ ଜିତିବାକୁ ଆସିଛୁ । ପୁଣିଥରେ ଭାରତ ସହ ଭେଟାଭେଟି ହେବ ।

ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେ ଠାରୁ ବିଜୟୀ ହୋଇ ଟେବୁଲ ଟପ୍ପର ଭାବେ ସେମିଫାଇନାଲରେ ଏଣ୍ଟ୍ରି କରିଛି ଟିମ୍ ଇଣ୍ଡିଆ । ଗ୍ରୁପ୍ ପର୍ଯ୍ୟାୟରେ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହୋଇଛି ରୋହିତ ବାହିନୀ । ଏହାବାଦ୍ ଅନ୍ୟ ସବୁ ମ୍ୟାଚରେ ଦମଦାର ପ୍ରଦର୍ଶନ ସହ ଟିମ୍ ଇଣ୍ଡିଆ ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ଆସନ୍ତା ୧୦ ତାରିଖରେ ଇଂଲଣ୍ଡ ସହ ସେମିଫାଇନାଲ ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇବ ମେନ୍ ଇନ ବ୍ଲୁ । ଇଂଲଣ୍ଡ ବିପକ୍ଷରେ ବିଜୟ ସହ ପୁଣିଥରେ ଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିବ ଭାରତ । ଯେହେତୁ ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି ଦମଦାର ଫର୍ମରେ ରହିଛନ୍ତି ତେଣୁ ଭାରତ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧିଛନ୍ତି ।

ଅନ୍ୟପଟେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ ଏକ ସେମିଫାଇନାଲ ମୁକାବିଲା ଦେଖିବାକୁ ମିଳିବ । ଯେହେତୁ ନ୍ୟୁଜିଲାଣ୍ଡ ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟ ଲାଭ କରି ସେମିଫାଇନାଲରେ ଏଣ୍ଟ୍ରି କରିଛି ତେଣୁ ପାକିସ୍ତାନର ଫାଇନାଲ ରାସ୍ତାରେ ବଡ ବାଧକ ସାଜି ଉଭା ହୋଇପାରେ କିୱି ଦଳ ।