ଘୁଞ୍ଚିଲା ଶିବସେନା ବିବାଦର ଶୁଣାଣି । ସୁପ୍ରିମକୋର୍ଟ କହିଲେ ଆଇନ ସମସ୍ତଙ୍କ ପାଇଁ ସମାନ

137

କନକ ବ୍ୟୁରୋ: ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଗତ ଲଢେଇ ମାମଲାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ମାମଲାର ଶୁଣାଣିକୁ ପୁଣି ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିବା ସହ ଅଗଷ୍ଟ ୧ରେ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି ପ୍ରଧାନ ବିଚାରପତି ଏନ ଭି ରମଣାକୁ ନେଇ ଗଠିତ ଖଣ୍ଡପୀଠ । ଏଥିସହ ଉଭୟ ପକ୍ଷଙ୍କ ପକ୍ଷରୁ ଦାଖଲ ହୋଇଥିବା ୬ ପିଟିସନର ସମସ୍ତ ପକ୍ଷଙ୍କୁ ନିଜର ମତ ରଖିବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି । ୬ଟି ପିଟିସନରୁ ଗୋଟିଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପକ୍ଷରୁ ରହିଥିବା ବେଳେ ବାକି ୫ଟି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପକ୍ଷରୁ ରହିଛି ।

କ’ଣ ଥିଲା ଉଦ୍ଧବଙ୍କ ଓକିଲଙ୍କ ଯୁକ୍ତି ?

-ଉଦ୍ଧବ ଠାକରେଙ୍କ ଓକିଲ କପିଲ ଶିବଲ ଯୁକ୍ତି ବାଢିଥିଲେ ଯେ, ସିନ୍ଦେଙ୍କ କ୍ୟାମ୍ପର ଥିବା ବିଧାୟକମାନେ ଦଳୀୟ ନିର୍ଦ୍ଦେଶକୁ ଅମାନ୍ୟ କରିଛନ୍ତି, ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଉ

-ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ରାଜ୍ୟପାଳ ଏକନାଥ ସିନ୍ଦେଙ୍କୁ ଶପଥ ଗ୍ରହଣ ପାଇଁ ଅନୁମତି ଦେବା ଠିକ୍ ନୁହେଁ

– ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ ଆଇନଗତ ନୁହେଁ । କାରଣ ଯେଉଁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ସେମାନେ ନିର୍ବାଚନରେ ଭୋଟ ଦେଇଥିଲେ

କ’ଣ ଥିଲା ସିନ୍ଦେଙ୍କ ଓକିଲଙ୍କ ଯୁକ୍ତି ?

-ସିନ୍ଦେଙ୍କ ଓକିଲ ହରିଶ ସାଲଭେ କହିଥିଲେ, ୨୦ ଜଣ ବିଧାୟକଙ୍କ ସମର୍ଥନ ନଥିବା ଆଶାଶୂନ୍ୟ ଲୋକଙ୍କୁ କୋର୍ଟ କ’ଣ ପୁଣି ଥରେ ସରକାରରେ ବସାଇବେ ?

-ଗଣତନ୍ତ୍ରରେ ଲୋକେ ଏକତ୍ରିିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ କହିପାରିବେ ଆପଣ ଆଉ ପଦବୀରେ ରହିପାରିବେ ନାହିଁ

-ଯଦି ଜଣେ ନେତା ଦଳ ନ ଛାଡ଼ି ପାର୍ଟି ଭିତରେ ସଂଖ୍ୟା ବଳ ଏକଜୁଟ କରି ଦଳର ନେତାଙ୍କୁ ପ୍ରଶ୍ନ କରେ, ତେବେ ଏହାକୁ ନୀତି ବିରୋଧୀ କୁହାଯାଇପାରିବ ନାହିଁ

ମାମଲାର ଶୁଣାଣି ହେବାକୁ ଥିବା ବେଳେ ଶିବସେନା ସାଂସଦ ଉଦ୍ଧବ ଠାକରେ କହିଛନ୍ତି ଏହା ବାଲସାହେବ ଠାକରେଙ୍କ ଦଳ । ନକଲି ଶିବସେନା କିଛି ବି କହିବେ କିନ୍ତୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ଉପରେ ଆମର ଭରଷା ଅଛି । ଆମକୁ ନ୍ୟାୟ ମିଳିବ । ଏପଟେ ଦୁଇ ଦିନ ପୂର୍ବରୁ ଶିବସେନା ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ଦଳରୁୁ ବିଦା ହୋଇଥିବା ରାମଦାମ କମଦଙ୍କୁ ସିନ୍ଦେଙ୍କ ଗୋଷ୍ଠୀ ପୁଣି ଥରେ ଶିବସେନାର ମୁଖ୍ୟଭାବେ ନିଯୁକ୍ତ କରିଛନ୍ତି ।