ମଧ୍ୟପ୍ରଦେଶରେ ଗୁଜରାଟ୍ ଓ କର୍ଣ୍ଣାଟକ ଫର୍ମୁଲା ଦୋହରାଇଲେ ରାହୁଲ ଗାନ୍ଧୀ ! ନିର୍ବାଚନୀ ସଭା ଓ ରାଲି ପୂର୍ବରୁ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ଶିବ ଆରାଧନା

84
କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଶିବ ପୂଜା । ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ଆଜି ମହାକାଳେଶ୍ୱରଙ୍କୁ ପୂଜା କରିଛନ୍ତି ରାହୁଲ । ଦୁଇ ଦିନିଆ ନିର୍ବାଚନୀ ପ୍ରଚାରରେ ମଧ୍ୟପ୍ରଦେଶ ଯାଇଥିବା ରାହୁଲ, ଉଜ୍ଜୟିନୀରେ ୪୫ ମିନିଟ୍ ଧରି ଶିବଙ୍କ ଆଶୀର୍ବାଦଭିକ୍ଷା କରିଛନ୍ତି । ପରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।
ପ୍ରଚାର ପୋଷ୍ଟରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଶିଭଭକ୍ତ ଭାବେ ଉପସ୍ଥାପିତ କରିବା ପରେ ମଧ୍ୟପ୍ରଦେଶ ଉଜ୍ଜୟିନୀରେ ରାହୁଲ ଗାନ୍ଧୀଙ୍କ ଶିବ ଆରାଧନା । ମହାକେଳେଶ୍ୱର ମନ୍ଦିରରେ ପାରମ୍ପରିକ ପଦ୍ଧତିରେ କରିଛନ୍ତି ପୂଜାର୍ଚ୍ଚନା । ମନ୍ତ୍ରୋଚ୍ଚାରଣ ଭିତରେ ଶିବ ଭକ୍ତ ବେଶରେ କଂଗ୍ରେସ ଅଧ୍ୟକ୍ଷ । ସାଙ୍ଗରେ ଅଛନ୍ତି ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମଧ୍ୟପ୍ରଦେଶ ପିସିସି ସଭାପତି କମଲ ନାଥ । ଦୁଇ ଦିନିଆ ନିର୍ବାଚନୀ ପ୍ରଚାରରେ ମଧ୍ୟପ୍ରଦେଶ ଯାଇଥିବା ରାହୁଲ ଗାନ୍ଧି ଉଜ୍ଜୟିନୀରେ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମହାଦେବଙ୍କ ଆରାଧନାରୁ ନିର୍ବାଚନୀ ରାଲି ଓ ସାଧାରଣ ସଭା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ ।
ଉଜ୍ଜୟିନୀ ମହାକାଳେଶ୍ୱର ମନ୍ଦିରରେ ଶିବ ଆରାଧନା ପରେ ସ୍ଥାନୀୟ ଦଶହରା ପଡିଆରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । ଯେଉଁଠି ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।
ସେପଟେ ରାହୁଲଙ୍କ ଶିବଭକ୍ତ ବେଶକୁ ନେଇ ଆକ୍ରମଣ ଆରମ୍ଭ କରିଦେଇଛି ବିଜେପି । ହିନ୍ଦୁ ଭୋଟ୍ ବ୍ୟାଙ୍କକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ରାହୁଲ ଗାନ୍ଧି ଏଭଳି ଶିବଭକ୍ତର ଖୋଳପା ପିନ୍ଧିଥିବା କହିଛି ଭାରତୀୟ ଜନତା ପାର୍ଟି । ପୁଣି ରାହୁଲଙ୍କ ଧର୍ମକୁ ନେଇ ପ୍ରଶ୍ନ ଉଠାଇଛି । ରାହୁଲ ଯଦି ଜନେୟୁ ଧାରୀ ହିନ୍ଦୁ, ତେବେ ସେ କେଉଁ ଗୋତ୍ରର ବୋଲି ପ୍ରଶ୍ନ କରିଛି ବିଜେପି । କାରଣ କର୍ଣ୍ଣଟକ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସିଦ୍ଧ ସୋମନାଥ ମନ୍ଦିର ଯାଇ ରାହୁଲ ଗାନ୍ଧି ଅଣହିନ୍ଦୁଙ୍କ ରେଜିଷ୍ଟରରେ ଦସ୍ତଖତ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ରାହୁଲଙ୍କୁ ଜନେୟୁ ଧାରୀ ଅର୍ଥାତ ପଇତାଧାରୀ ହିନ୍ଦୁ ବୋଲି କହିଥିଲା କଂଗ୍ରେସ ।