ରାଷ୍ଟ୍ରପତି ନିର୍ବାଚନ ନେଇ ଅକାଳୀ ଦଳର ଘୋଷଣା, ଏନଡିଏ ପ୍ରାର୍ଥୀଙ୍କୁ ଦେବ ସମର୍ଥନ

157

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ପଞ୍ଜାବର ଶିରୋମଣୀ ଅକାଳି ଦଳ ବି ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି । ଦଳର ଅଧ୍ୟକ୍ଷ ସୁଖବୀର ବାଦଲ କହିଛନ୍ତି କି, ରାଜନୈତିକ ବିଚାରକୁ ଅଲଗା ରଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଦଳ ନିଷ୍ପତ୍ତି କରିଛି । ଏନେଇ ଦଳ ମଧ୍ୟରେ ୩ ଘଂଟା ଧରି ବିଚାର ବିମର୍ଷ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୁଖବୀର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ଦ୍ରୌପଦୀ ମୁର୍ମୁ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖବୀରଙ୍କୁ ଫୋନ କରି ସମର୍ଥନ ମାଗିଥିଲେ ବୋଲି ସୁଖବୀର କହିଛନ୍ତି ।

ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେବା ନେଇ ସୁଖବୀର କହିଛନ୍ତି କି, ଅକାଳୀ ଦଳ କେବେ ବି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ନାହିଁ । ଏନେଇ କାରଣ ଭାବେ ସେ କହିଛନ୍ତି ଯେ କଂଗ୍ରେସ ଶିଖ୍ ବିରୋଧୀ । ଏହି କାରଣରୁ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସୁଖବୀର ସ୍ପଷ୍ଟ କରିଛନ୍ତି ।