ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ । ମାୟାବତୀ ଓ ସୁଖବୀରସିଂ ବାଦଲ ଏକାଠି । ବିଏସପି ୨୦ ଓ ଅକାଳୀଦଳ ୯୭ ଟି ଆସନରେ ନିର୍ବାଚନ ଲଢିବାକୁ ଘୋଷଣା

304

କନକ ବ୍ୟୁରୋ :  ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ଶିରୋମଣୀ ଅକାଳୀଦଳ ଓ ବିଏସପି ମେଣ୍ଟରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ପଞ୍ଜାବ ବିଧାନସଭାର ମୋଟ ୧୧୭ ଆସନରୁ ବିଏସପି ୨୦ ଟିରେ ଓ ଶିରୋମଣୀ ଅକାଳୀଦଳ ୯୭ ଟି ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛନ୍ତି । ଏନେଇ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସୁଖବୀର ସିଂ କହିଛନ୍ତି କି ଅକାଳୀଦଳ ଓ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ଦୂରଦୃଷ୍ଟି ରହିଛି    । ଏହି ଦୁଇଟି ଦଳ ଗରୀବ କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥପାଇଁ ଲଢେଇ କରୁଛି । ଆଜିର ଦିନଟିକୁ ପଞ୍ଜାବ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଦିବସ ବୋଲି ସେ କହିଥିଲେ । ସୂଚନା ଥାଉକି ଏହା ପୂର୍ବରୁ ୧୯୯୬ ମସିହାରେ ବିଏସପି ଓ ଅକାଳୀଦଳ ମେଣ୍ଟରେ ଲୋକସଭା ନିର୍ବାଚନ ଲଢିଥିଲେ । ସେତେବେଳେ ଏହି ମେଣ୍ଟକୁ ଆଶାତୀତ ସଫଳତା ମିଳିଥିଲା ମୋଟ ୧୩ ଟି ଲୋକସଭା ଆସନରୁ ଏହି ମେଣ୍ଟ ୧୧ ଟିରେ ବିଜୟଲାଭ କରିଥିଲା ।

କହିରଖୁ କି ଏହାପରେ ଅକାଳୀଦଳ ଏନଡିଏ ସରକାରରେ ସାମିଲ ହୋଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଆକଳୀଦଳ ଏନଡିଏ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା ।

କହିରଖୁ କି ୨୦୨୨ ରେ ପଞ୍ଜାବରେ ବିଧାସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଶାସକ କଂଗ୍ରେସ ମଧ୍ୟରେ ଫାଟ ଜଳ ଜଳ କରି ଦେଖା ଯାଉଥିବା ବେଳେ ଏହାର ସୁଯୋଗ ନେବାକୁ ବିରୋଧୀମାନେ ଅଣ୍ଟା ଭିଡିଲେଣି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯଦି ସମାଧାନ ନହୁଏ ତେବେ ୧୯୯୬ ଲୋକସଭାରେ ଅକାଳୀଦଳ ଓ ବିଏସପିକୁ ମିଳିଥିବା ସଫଳତା ପୁଣି ୨୦୨୨ ବିଧାନସଭାରେ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।