ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ହିଁ ଅସଲି ଶିବସେନା । ଅମିତ ଶାହାଙ୍କ ବଡ ବୟାନ ପରେ ମହାରାଷ୍ଟ୍ର ରାଜନୀତି ସରଗରମ ।

288

କନକ ବ୍ୟୁରୋ : ମହାରାଷ୍ଟ୍ର ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଡ ବୟାନ ଦେଇଛନ୍ତି । ଯାହା ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ହିଁ ଅସଲି ଶିବସେନା ବୋଲି କହିଛନ୍ତି ଶାହା । ଆଉ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ଅସଲି ଶିବସେନା କିଏ ତାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ତୁମ୍ବି ତୋଫାନ ଚାଲିଛି । ଏପରିକି ଅସଲି ଶିବସେନାର ଟ୍ୟାଗ ନେବାକୁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଉଭୟ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ।

ବିଏମସି ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ବାସଭବନରେ ଦଳର ସମସ୍ତ ବିଧାୟକ, ସାଂସଦ ଓ ବିଧାନ ପରିଷଦ ସଭ୍ୟଙ୍କ ସହ ଆଲୋଚନା କରିଛନ୍ତି ଶାହା । ଆଉ ଏହି ଆଲୋଚନା ପରେ ବିଏମସି ନିର୍ବାଚନ ପାଇଁ ରଣହୁଙ୍କାର ଦେଇଛି ବିଜେପି । ମହାରାଷ୍ଟ୍ର ବିଜେପି ସଭାପତି ଆଶିଷ ଶେଲର କହିଛନ୍ତି, ଏଥର ପୂରା ଶକ୍ତି ସହ ଲଢିବୁ, ବିଏମସି ନିର୍ବାଚନରେ ବାଜିମାତ କରିବୁ । ଏହାଛଡା ଦେବେନ୍ଦ୍ର ଫଡନବୀଶ କହିଛନ୍ତି, ଲୋକ ଏବେ ଜାଣିଗଲେଣି କିଏ ଅସଲି ଚାଣକ୍ୟ । ଚଳିତ ବିଏମସି ନିର୍ବାଚନରେ ଶିବସେନାକୁ ହରାଇବାକୁ ଆମକୁ ଏକଜୁଟ୍ ହୋଇ ଲଢିବାକୁ ପଡିବ ।

ମହାରାଷ୍ଟ୍ର ଗସ୍ତରେ ଯାଇଥିବା ଗୃହମନ୍ତ୍ରୀ ଅମିତ ଶାହା ମୁମ୍ବାଇରେ ବିଭିନ୍ନ ମଣ୍ଡପ ବୁଲିବା ସହ ଶ୍ରୀଗଣେଶଙ୍କ ଦର୍ଶନ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ସମେତ ଅନେକ ବଡ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କ ସହ ମିଶି ବିଏମସି ନିର୍ବାଚନ ଲଢିବାକୁ ଦେବେନ୍ଦ୍ର ଫଡନବୀଶ ଘୋଷଣା କରିଥିଲେ । ତେଣୁ ଚଳିତଥର ବିଏମସି ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି ।