ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ ସହ ୧୩ ମନ୍ତ୍ରୀ! ବିଜେପି ସହ ଏହି ଫର୍ମୁଲାରେ ସରକାର ଗଢିବେ କି ଏକନାଥ ସିନ୍ଦେ?

458

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଏବେ ମହାସଙ୍କଟ । ବିଦ୍ରୋହୀ ଏକନାଥ ସିନ୍ଦେ ଗୋଷ୍ଠୀ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ଉଦ୍ଧବ ସରକାର ଅଳ୍ପମତକୁ ଚାଲି ଆସିଛି । ଆଉ ଏସବୁ ଭିତରେ ଏବେ ଫ୍ଲୋର ଟେଷ୍ଟକୁ ସମସ୍ତଙ୍କର ଅପେକ୍ଷା ରହିଛି । ତେବେ ଫ୍ଲୋର ଟେଷ୍ଟ ପାଇଁ କିଏ ରାଜ୍ୟପାଳଙ୍କୁ କହିବ ତାହା ଉପରେ ନଜର ରହିଛି । କିନ୍ତୁ ଅନ୍ୟପଟେ ଉଦ୍ଧବ ସରକାରରୁ ସମର୍ଥନ ପ୍ରତ୍ୟାହାର ପରେ ନୂଆ ସରକାର ଗଠନ ଦିଗରେ ସିନ୍ଦେଙ୍କ ଗୋଷ୍ଠୀ ପାଦ ବଢାଉଥିବା ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ନୂଆ ସରକାର ଗଠନ ପାଇଁ ସିନ୍ଦେ ବିଜେପି କ୍ୟାମ୍ପ ସହ ଯୋଗାଯୋଗରେ ଥିବା କୁହାଯାଉଛି । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିବା ନେଇ ଖବର ସାମ୍ନାକୁ ଆସୁଛି । ଏପରିକି ଦିଲ୍ଲୀରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି ଚର୍ଚ୍ଚା ହେଉଛି । ନୂଆ ସରକାରରେ ଏକନାଥ ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଏତିକି ନୁହେଁ ନୂଆ ସରକାରରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ୮ କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେହିଭଳି ବିଜେପି ନିଜ କୋଟାରୁ ୨୯ ଜଣଙ୍କୁ ମନ୍ତ୍ରୀ କରିପାରେ । ଏପରିକି ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ବିଜେପି ନିଜ କୋଟାରୁ ମନ୍ତ୍ରୀ କରୁ ବୋଲି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଦାବି କରିପାରନ୍ତି ।

ଏହାବ୍ୟତୀତ ନୂଆ ସରକାରରେ ପୁରୁଣା ମନ୍ତ୍ରାଳୟ ରଖିବାକୁ ଏକନାଥ ସିନ୍ଦେ ଗୋଷ୍ଠୀ ଚାହୁଁଥିବା ନେଇ ଚର୍ଚ୍ଚା ହେଉଛି । କାରଣ ଗତ ମାସକ ମଧ୍ୟରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଉଦ୍ଧବ ଠାକରେ ରୋକ ଲଗାଇଛନ୍ତି ଏହାସହ ବିଦ୍ରୋହୀ ମନ୍ତ୍ରୀଙ୍କ ଠାରୁ ବିଭାଗ ଛଡାଇ ଆଣି ଅନ୍ୟ ମାନଙ୍କୁ ଦିଆଯାଇଛି । ଏସବୁ ଭିତରେ ଉଦ୍ଧବ ଠାକରେଙ୍କୁ ବଡ ଝଟକା ଦେଇପାରନ୍ତି ଦଳର ସାଂସଦ । କାରଣ ଦଳର ୧୮ ସାଂସଦଙ୍କ ମଧ୍ୟରୁ ୧୪ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ସହ ସମ୍ପର୍କରେ ଥିବା କୁହାଯାଉଛି । ଆଉ ଯଦି ଏପରି ହୁଏ ତେବେ ଶିବସେନାରେ ଏକନାଥ ରାଜ ଆରମ୍ଭ ହେବ ।