ସରକାରୀ ପ୍ରୋତ୍ସାହନରେ ମାଛ ଚାଷ କରି ଲାଭବାନ ହେଉଛନ୍ତି ଏସଏଚଜି ମହିଳା । ଜୀବିକା ମିଶନ, ମତ୍ସ୍ୟ ବିଭାଗ ଏବଂ ୱାର୍ଲ୍ଡ ଫିସ୍ ପକ୍ଷରୁ ମହିଳାଙ୍କୁ ଦିଆଯାଉଛି ତାଲିମ 

75

କନକ ବ୍ୟୁରୋ: ସରକାରୀ ପ୍ରୋତ୍ସାହନରେ ମାଛ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି  ସ୍ୱୟଂ ସହାୟକ ଗୋଷ୍ଠିର ମହିଳା । ସରକାରୀ ପ୍ରୋତ୍ସାହନ ଏବଂ ବୈଷୟିକ ତାଲିମ ପାଇ ମତ୍ସ୍ୟ ଚାଷରେ ସଫଳତା ପାଇବା ସହିତ ବାର୍ଷିକ ଲକ୍ଷାଧିକ ରୋଜଗାର କରୁଛନ୍ତି ଏସଏଚଜି ମହିଳା । ମାଛ ଚାଷ ପାଲଟିଛି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ ପାଇଁ ରୋଜଗାରର ଏକ ନୂଆ ମାଧ୍ୟମ  ।

ଏସଏଚଜି ମହିଳାଙ୍କୁ ରୋଜଗାର ଦେଉଛି ମାଛ ଚାଷ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକର ପ୍ରାୟ ୧୮ଟି ପଞ୍ଚାୟତର ଏସଏଚଜି ମହିଳା ମାନେ ମାଛ ଚାଷ କରି ବେଶ ଉପକୃତ ହୋଇଛନ୍ତି । ଏହାଦ୍ୱାରା ମହିଳାଙ୍କ ଆର୍ଥିକ ଓ ସାମାଜିକ ମୂଲ୍ୟବୋଧ ବିକାଶରେ ବେଶ ସହାୟକ ହେଉଛି । ଓଡିଶା ସରକାରଙ୍କ ଜୀବିକା ମିଶନ, ମତ୍ସ୍ୟ ବିଭାଗ ଏବଂ ୱାର୍ଲ୍ଡ ଫିସ୍ ସହାୟତାରେ ମହିଳା ମାନେ ମାଛ ଚାଷ କରି ବେଶ ଲାଭବାନ ହୋଇଛନ୍ତି । ଗୋଷ୍ଠିର ମହିଳା ମାନେ ପଞ୍ଚାୟତ ପୋଖରୀକୁ ଲିଜ୍ ନେଇ ମାଛ ଚାଷ କରିବା ସହିତ ଏହାକୁ ବିକ୍ରୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି  । ମହିଳା ମାନେ ମିଳିତ ଭାବେ ପୋଖରୀ ଜଳ ପରିଚାଳନା ଠାରୁ ଆରମ୍ଭ କରି ମାଛ ମାନଙ୍କୁ ଦାନା ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତିି  । ଘର କାମ ସହ ବଳକା ସମୟର ସଦୁପଯୋଗ କରି ନିଜେ ଆତ୍ମନିର୍ଭରଶୀଳ ସହ ଘର ଖର୍ଚ୍ଚ ଏବଂ ପିଲାମାନଙ୍କ ପାଠ ପଢା ଖର୍ଚ୍ଚ ତୁଲାଉଛନ୍ତି ।

ଗରଦପୁର ବ୍ଲକରେ ଚଳିତ ବର୍ଷ ପ୍ରାୟ ୧୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୮ ହେକ୍ଟର ପଞ୍ଚାୟତ ପୋଖରୀରେ ମାଛ ଚାଷ କରିଛନ୍ତି । ମତ୍ସ୍ୟ ବିଭାଗ ପକ୍ଷରୁ ଏକର ପିଛା ପ୍ରାୟ ୩୬ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇଛି । ମାଛ ଚାଷ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନଙ୍କୁ ସରକାରଙ୍କ ପକ୍ଷରୁ ତାଲିମ ମଧ୍ୟ ପ୍ରଦାନ କରାଯାଇଛି  । ନିକଟରେ ଗରଦପୁର ବ୍ଲକର ବିଭିନ୍ନ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନଙ୍କୁ ୱାର୍ଲ୍ଡ ଫିସର ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ଏକ ତାଲିମ ଦିଆଯାଇଥିଲା । ଏହି ଟ୍ରେନିଂରେ ମାଛ ମାନଙ୍କୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ମଝିରେ ମଝିରେ ପୋଖରୀ ପାଣିକୁ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି  । ଫଳରେ ମାଛ ଚାଷ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନେ ବୈଷୟିକ ଜ୍ଞାନର ଉପଯୋଗ କରି ମାଛ ଚାଷରେ ସଫଳତା ପାଇଛନ୍ତି ।

ସରକାରୀ ପ୍ରୋତ୍ସାହନର ସଠିକ୍ ଉପଯୋଗ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନେ ସଫଳତା ପାଉଛନ୍ତି । ଏହାସହ ଭଲ ଦୁଇପଇସା ରୋଜଗାର କରି ଆତ୍ମନିର୍ଭରଶିଳ ମଧ୍ୟ ହୋଇପାରୁଛନ୍ତି ।