କଂଗ୍ରେସ ସଭାପତି ପଦ ରେସରୁ ହଟିଲେ ଦିଗବିଜୟ, ନାମାଙ୍କନ ଭରିଲେ ମଲିକାର୍ଜ୍ଜୁନ ଖଡଗେ । ଶଶି ଥରୁର ବି ଦାଖଲ କଲେ ପ୍ରାର୍ଥିପତ୍ର

75

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ଯଦି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହର କରିବେ ତା ହେଲେ ଅକ୍ଟୋବର ୧୭ରେ ଭୋଟ୍ ପଡିବ । ଆଉ ଅଧ୍ୟକ୍ଷ କିଏ ହେବେ ସ୍ପଷ୍ଟ ହେବ । ଦଳର ଏହି ଶୀର୍ଷ ପଦ ପାଇଁ ଆରମ୍ଭରୁ ଗେହଲଟ ଚର୍ଚ୍ଚାରେ ଥିଲେ । ସେ ରେସରୁ ଆଉଟ ହେବା ପରେ ହଠାତ୍ ଖଡଗେ ଏଣ୍ଟ୍ରି ମାରିଛନ୍ତି । ଯାହା ଶଶୀ ଥରୁରଙ୍କ ବିଜୟ ଆଶାରେ ବାଧକ ସାଜିବ ବୋଲି ଆଶଙ୍କା କରାଯାଉଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସର ଦୁଇ ହେବିୱେଟ । ନାମାଙ୍କନ ପତ୍ର ଦାଖଲ ବେଳେ ଉଭୟ ଥରୁର ଏବଂ ଖଡଗେ ଘୋଷଣାପତ୍ର ଜାରି କରିଛନ୍ତି । ଯେଉଁଥିରେ ଶଶୀ ଥରୁର ଦଳରେ ଥିବା ହାଇକମାଣ୍ଡ ସଂସ୍କୃତିକୁ ବଦଳାଇବେ ବୋଲି କହିଛନ୍ତି । ସେହିପରି ଦଳରେ ଗୋଟିଏ ବଡ ପରିବର୍ତ୍ତନ ପାଇଁ ଲଢେଇ କରୁଛନ୍ତି ବୋଲି ଖଡଗେ କହିଛନ୍ତି । ଏହାବ୍ୟତୀତ ଝାଡଖଣ୍ଡର କଂଗ୍ରେସ ନେତା କେ.ଏନ ତ୍ରିପାଠୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିନ୍ତୁ ଲଢେଇ ଦଳର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ହେବାକୁ ଯାଉଛି ।

  • ଅଧ୍ୟକ୍ଷ ରେସରେ ଜି-୨୩ ଗୋଷ୍ଠୀର ନେତା
  • ଖଡଗେ ସାଜିବେ କି ଗାନ୍ଧୀ ପରିବାରର ଡାର୍କ ହର୍ସ?

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର, ଦଳରେ ଅସନ୍ତୋଷ ପ୍ରକାଶ କରି ବିଭିନ୍ନ ସମୟରେ ସମାଲୋଚନା କରିଛନ୍ତି । ଜି-୨୩ ଗୋଷ୍ଠୀର ସାମିଲ ଥିବା ଏହି ନେତା କିନ୍ତୁ ଗାନ୍ଧୀ ପରିବାର ସହିତ ଭଲ ସଂପର୍କ ରଖିବାରେ ଏକମାତ୍ର ଜି-୨୩ ଗୋଷ୍ଠୀର ନେତା । ନାମାଙ୍କନ ଦାଖଲ ପୂର୍ବରୁ ଗୁରୁବାର ରାତିରେ ଜି-୨୩ ଗୋଷ୍ଠୀର ଅନେକ ନେତା ସାଂସଦ ଆନନ୍ଦ ଶର୍ମାଙ୍କ ଘରେ ବୈଠକ କରିଥିଲେ । ଏପରି ସ୍ଥିତିରେ ଶଶୀ ଥରୁରଙ୍କ ଉପରେ ଭରସା କରିପାରିବ ତ ଗାନ୍ଧୀ ପରିବାର ? ଆଉ ଅଧ୍ୟକ୍ଷ ରେସରେ ଚର୍ଚ୍ଚାରେ ନଥିବା ଖଡଗେ ଶେଷ ମୂହୂର୍ତ୍ତରେ ଏଣ୍ଟ୍ରି କରିଛନ୍ତି । ଖଡଗେ ରାଜ୍ୟସଭାରେ କଂଗ୍ରେସର ସ୍ୱର ପାଲଟିବା ସହିତ କ୍ରାଇସିସି ମ୍ୟାନେଜର ଭାବେ ଗାନ୍ଧୀ ପରିବାରର ବିଶ୍ୱସ୍ତ । ଆଉ ଏବେ ଗେହଲଟ ଏବଂ ଦିଗବିଜୟ ସିଂହଙ୍କ ଭଳି ନେତା ଖଡଗେଙ୍କ ସମର୍ଥନରେ ବାହାରିଛନ୍ତି ।

ଅନ୍ୟପଟେ ପ୍ରାଥୀପତ୍ର ଦାଖଲ କରିବା ବେଳେ ବିବାଦୀୟ ହୋଇପଡିଛନ୍ତି ଶଶୀ ଥରୁର । ନିଜେ ଜାରି କରିଥିବା ଘୋଷଣାପତ୍ରରେ ଜମ୍ମୁ କଶ୍ମୀରର ଭୁଲ ମାନଚିତ୍ର ସେୟାର କରି ବିବାଦୀୟ ହୋଇପଡିଛନ୍ତି । ଯାହା ଶାସକ ଦଳ ବିଜେପିକୁ ସୁହାଇଛି । ପରେ କିନ୍ତୁ ଥରୁର କ୍ଷମା ମାଗିଛନ୍ତି ।