ଖଡଗେଙ୍କ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସ ନେତୃତ୍ୱଙ୍କୁ ପ୍ରଶ୍ନ କଲେ ଶଶୀ ଥରୁର । ଅଧ୍ୟକ୍ଷ ରେସରେ ଖଡଗେଙ୍କୁ ଅଫିସିଆଲ୍ ପ୍ରାର୍ଥୀ ଭଳି ଦେଖାଯାଉଥିବା କଲେ ଅଭିଯୋଗ ।

96

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଯେଉଁ ଆଶା ଆଶଙ୍କା ରହିଥିଲା, କିଏ ଏହି ନିର୍ବାଚନ ଲଢିବ ତାକୁ ନେଇ ଯେଉଁ ପ୍ରଶ୍ନ ଉଠିଥିଲା,ସେ ସବୁ ପ୍ରଶ୍ନର ଉତ୍ତର ଆଜି ମିଳିସାରିଛି । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଦଳର ଦୁଇ ବରିଷ୍ଠ ନେତା । କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ସହିତ ମଲ୍ଲିକାର୍ଜୁନ ଖଡଗେ ଏହି ପଦ ପାଇଁ ନିଜ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ନାମାଙ୍କନ ଦାଖଲ ପରେ ମଲ୍ଲିକାର୍ଜୁନ ଖଡଗେ ଏବଂ କଂଗ୍ରେସ ନେତୃତ୍ୱଙ୍କ ଉପରେ ବଡ ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷ ରେସରେ ଥିବା ପ୍ରାର୍ଥୀ ଶଶୀ ଥରୁର ।

ଥରୁରଙ୍କ କହିବା କଥା, ଦଳର ବରିଷ୍ଠ ନେତୃମଣ୍ଡଳୀ ଖଡଗେଙ୍କୁ ସମର୍ଥନ କରୁଛନ୍ତି । ଖଡଗେ କଂଗ୍ରେସର ଅଫିସିଆଲ୍ ପ୍ରାର୍ଥୀ ଭଳି ଦେଖାଯାଉଛି । କଂଗ୍ରେସ ନେତୃତ୍ୱଙ୍କୁ ସେ ଏନେଇ ପ୍ରଶ୍ନ କରିବା ସହିତ, ଏପରି କାହିଁକି କରାଯାଉଛି ବୋଲି କହିଛନ୍ତି । ତେବେ ଥରୁରଙ୍କ ନାମାଙ୍କନ ଦାଖଲ ବେଳେ ସାମାନ୍ୟ କିଛି ଜଣ ନେତା ତାଙ୍କ ସହିତ ରହିଥିଲେ, ହେଲେ ଖଡଗେ ଯେତେବେଳେ ନାମାଙ୍କନ ଦାଖଲ କରିଥିଲେ, ସେତେବେଳେ ଦଳର ବରିଷ୍ଠ ନେତୃମଣ୍ଡଳୀ ତାଙ୍କ ସହିତ ରହିଥିଲେ ।

ଥରୁର ଆହୁରି ମଧ୍ୟ କହିଛନ୍ତି ଯେ, ସୋନିଆ ଗାନ୍ଧୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କଂଗ୍ରେସର କୌଣସି ବି ପ୍ରାର୍ଥୀଙ୍କୁ ଅଫିସିଆଲ୍ ପ୍ରାର୍ଥୀ ଭାବେ ଘୋଷଣା କରିବ ନାହିଁ । ହେଲେ ଏହାସତ୍ତେ୍ୱ ମଧ୍ୟ ଖଡଗେଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅଫିସିଆଲ୍ ପ୍ରାର୍ଥୀ ଭଳି ଦେଖାଯାଉଛି ବୋଲି ଥରୁର ଅଭିଯୋଗ ଆଣିଛନ୍ତି । ତେବେ ଆମେ ଶତ୍ରୁ ନୁହେଁ ବରଂ ପ୍ରତିଦ୍ୱନ୍ଦ୍ୱୀ, ଆମେ ଦୁଇ ଜଣ ସହଯୋଗ ଅଟୁ ଏବଂ ପାର୍ଟିକୁ ଆଗକୁ ବଢାଇବାକୁ ଚାହୁଁଛୁ । ଆଜି ମଲ୍ଲିକାର୍ଜୁନ ଖଡଗେଙ୍କ ବିଷୟରେ ଏମିତି କିଛି ଶବ୍ଦ କହିଛନ୍ତି ଶଶୀ ଥରୁର । ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ପାର୍ଟିର ଭୀଷ୍ମ ପିତାମହ । ତାଙ୍କ ପ୍ରାର୍ଥୀତ୍ୱକୁ ନେଇ କୌଣସି ବି ନକରାତ୍ମକ ମନ୍ତବ୍ୟ ରଖିବାକୁ ଥରୁର ମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ଦିନ ଥିଲା । ଶେଷ ଦିନରେ ଶଶୀ ଥରୁରଙ୍କ ସହିତ ମଲ୍ଲିକାର୍ଜୁନ ଖଡଗେ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଏହି ରେସରେ ମଲ୍ଲିକାର୍ଜୁନ ଖଡଗେଙ୍କ ପଲ୍ଲା ଭାରି ଥିବା ଭଳି ମନେ ହେଉଛି ।