ଏସଟିଏଫ୍ କବଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ । ହାର୍ଡକୋର କ୍ରିମିନାଲଙ୍କ ବଳରେ ବଳିଆନ ଥିଲା ଡନ୍, ଏବେ ୫ ସାର୍ପ ସୁଟରଙ୍କୁ ଖୋଜୁଛି ସ୍ପେଶାଲ ଟାକ୍ସଫୋର୍ସ

32

କନକ ବ୍ୟୁରୋ : ଟିଟୋର କ୍ରାଇମ୍ ସିଣ୍ଡିକେଟ୍ ଭିତରକୁ ଯେତିକି ଯାଉଛି ଏସଟିଏଫ୍, ସେତିକି ମିଳୁଛି ଚାଂଚଲ୍ୟକର ତଥ୍ୟ । ଟିଟୋର ଡାହାଣ ହାତ କୁହାଯାଉଥିବା ବାପୁ ପରିଡ଼ାକୁ ଗିରଫ କରିଛି କ୍ରାଇମବ୍ରାଂଚର ସ୍ପେଶାଲ୍ ଟାକ୍ସ ଫୋର୍ସ । ଟିଟୋର ପାରାଦୀପ ଗଡ଼ ଜଗିଥିଲା ବାପୁ । ଟିଟୋ ଇସାରାରେ ବାପୁ କାମ କରୁଥିଲା, ଆଉ ବାପୁ ଇଙ୍ଗିତରେ ଘଟୁଥିଲା ଅପରାଧ । ତା’ ନାଁରେ ରହିଛି ୨୮ଟି ସଂଗୀନ ମାମଲା । ହାର୍ଡକୋର କ୍ରିମିନାଲକୁ ଗ୍ୟାଙ୍ଗରେ ରଖି ନାଲିଆଖି ଦେଖାଉଥିଲା ଟିଟୋ । କଥା ନମାନିଲେ ଟିଟୋର ଇସାରାରେ କାମ ତମାମ କରି ଦେଉଥିଲେ ତା’ର ସାର୍ପ ସୁଟର ।

ଦୁର୍ଦ୍ଦାନ୍ତ ଅପରାଧୀ ବାପୁ ପରିଡ଼ା । ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ । ଟିଟୋ ମୁହଁରୁ କଥା ସରିବା ପୂର୍ବରୁ ଆତଙ୍କ ଖେଳାଇ ଦେଉଥିଲା ଏହି ଅପରାଧୀ । କଥା କଥାକେ ଗୁଳି ଫୁଟାଉଥିଲା, କାହାର ଜୀବନ ନେବା ଥିଲା ତା’ ବାଁ ହାତର ଖେଳ । ଦାଦାବଟି, ହତ୍ୟା, ହତ୍ୟା ଉଦ୍ୟମ, ଗୁଳିମାଡ଼, ଡକାୟତିଠାରୁ ଆରମ୍ଭ କରି ବେଆଇନ ଭାବେ ମାରଣାସ୍ତ୍ର ରଖିବା ଭଳି ସଂଗୀନ ମାମଲା ରହିଛି ବାପୁ ପରିଡ଼ା ନାଁରେ । ବିଶେଷ କରି ପାରଦୀପ କ୍ରାଇମ୍ ସିଣ୍ଡିକେଟର ସର୍ବେସର୍ବା ଥିଲା ବାପୁ ।

ଟିଟୋର ପାରାଦୀପ ସାମ୍ରାଜ୍ୟ ସମ୍ଭାଳୁଥିଲା ବାପୁ ପରିଡ଼ା । ଟିଟୋ ଲିଙ୍କରେ ବାରମ୍ବାର ଜେରା କରିବା ପରେ ଶେଷରେ ତାକୁ ଗିରଫ କରି କୋର୍ଟ ଚାଲଣ କରିଛି ଏସଟିଏଫ୍ । ବାପୁ ନାଁରେ ବିଭିିନ୍ନ ଥାନାରେ ରହିଛି ୨୮ଟି ସଂଗୀନ ମାମଲା । ପାରଦୀପ, କୁଜଙ୍ଗ ଥାନା ସମେତ କଟକ ଚାଉଳିଆଗଂଜ ଥାନାରେ ମାମଲା ରହିଛି ତା’ ନାଁରେ । ବାପୁ ପରିଡ଼ା ଭଳି ଅନେକ ହାର୍ଡକୋର କ୍ରିମିନାଲକୁ ନିଜ ଗ୍ୟାଙ୍ଗରେ ସାମିଲ କରି ଟିଟୋ ଗଢିଥିଲା ଅପରାଧିକ ସାମ୍ରାଜ୍ୟ । ଡରାଇବା, ଧମକାଇବା, ଦରକାର ପଡ଼ିଲେ ଜୀବନ ନେବାକୁ ମଧ୍ୟ ପଛାଉ ନଥିଲେ ଟିଟୋର ଗୁଣ୍ଡାବାହିନୀ ।
ଟିଟୋର ମୁଖ୍ୟ ବଳ ଥିଲା ତା’ର ସାର୍ପସୁଟର । ‘ଭାଇ’ ଇସାରା ଦେବା ମାତ୍ରେ ତା’ର ସାର୍ପସୁଟର ଆକ୍ସନ ମୋଡ୍କୁ ଆସି ଯାଉଥିଲେ । ଟିଟୋ ଚାହିଁବା କ୍ଷଣି ରକ୍ତର ନଦୀ ବୁହାଇ ଦେବାକୁ ଆଗେଇ ଆସୁଥିଲେ ସାର୍ପସୁଟର ।

ସାର୍ପସୁଟର – ଚଗଲା । ମଣିଷ ରୂପରେ ଥିଲା ସଇତାନ୍ । କୁହାଯାଏ, ଚଗଲାର ବଳରେ ବଳିୟାନ ଥିଲା ଟିଟୋ । କାରଣ ଟିଟୋ ଯାହାକୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲା, ସାଂଗେ ସାଂଗେ ଖବର ପହଁଚି ଯାଉଥିଲା ଚଗଲା ପାଖରେ । ଭାଇର ଗୋଟିଏ ଫୋନରେ କାମ୍ ତମାମ କରିଦିଏ ଏହି କ୍ରିମିନାଲ । ନୟାଗଡ଼ରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଚଳାଇ ଆସିଥିଲା ଆତଙ୍କରାଜ । କେତେ ଲୋକକୁ ଚଗଲା ଉଡାଇଦେଇଛି, ତା’ର ହିସାବ କାହା ପାଖରେ ନାହିଁ । ତେବେ ତା’ ନାଁରେ ଥିବା ୧୯ଟି ମାମଲା ଭିତରୁ ୫ଟି ଥିଲା ମର୍ଡର କେସ୍ । ୨୦୦୫ରେ କେନ୍ଦ୍ରାପଡ଼ାର ଠିକାଦାର ପ୍ରଦୀପ ପରିଡ଼ା ହତ୍ୟାକାଣ୍ଡରେ ଥିଲା ମୁଖ୍ୟ ଅଭିଯୁକ୍ତ । ତା’ରି ପାଇଁ କେନ୍ଦ୍ରାପଡ଼ାରେ ଜାରି ହୋଇଥିଲା କର୍ଫ୍ୟୁ । ନିକଟରେ ପୋଲିସର ଏନକାଉଂଟରରେ ଜୀବନ ଯାଇଛି ଚଗଲାର ।

ସାର୍ପ ସୁଟର – ବାବୁ ସାହୁ । ଘର କେନ୍ଦ୍ରାପଡ଼ା । ଟିଟୋ ବିରୋଧରେ ପଦେ କଥା ସହିପାରେ ନାହିଁ ବାବୁ ସାହୁ । ଭାଇ ସହିତ ଦୁଷମନି କଲେ ଖାଇବାକୁ ପଡିବ ବାବୁର ଗୁଳିମାଡ଼ । ସାର୍ଫସୁଟର ସାଙ୍ଗକୁ ସୁପାରି କିଲର । ଟଙ୍କା ପାଇଁ ହତ୍ୟା କରିବା ତା’ର ପେସା । ୨୦୧୨ରେ ସୁଲେମାନର ସହଯୋଗୀ ବିଭାସ ମହାନ୍ତି ମର୍ଡର କେସରୁ ଖଲାସ ହେବା ପରେ ପୋଲିସକୁ ଚକମା ଦେଇ ଘଟାଇଛି ଅନେକ ସଂଗୀନ ଅପରାଧ । ୫୦ରୁ ଅଧିକ ମାମଲା ରହିଛି ତା’ ନାଁରେ । କେବଳ କେନ୍ଦ୍ରାପଡ଼ା ଥାନାରେ ରହିଛି, ୧୧ଟି ନନବେଲେବୁଲ୍ ୱାରେଂଟ୍ । ଠିକାଦାର ରାଜକିଶୋର ବେହେରା, ଇଂଜିନିୟର ଦେବାଶିଷ ସାହୁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । କେବଳ ସେତିକି ନୁହେଁ ପୁଳା ପୁଳା ଟଙ୍କାର ଲୋଭ ଦେଖାଇ ଯୁବକମାନଙ୍କୁ କ୍ରାଇମ୍ ଲାଇନକୁ ଆଣିଥାଏ ବାବୁ ସାହୁ ।

ସାର୍ପସୁଟର – କାଲାବାବୁ । ଜଙ୍ଗଲୀ ପଶୁ ଭଳି ହିଂସ୍ର । ୨୦ ବର୍ଷରୁ ଅଧିକ ସମୟ ଧରି ଟିଟୋର କ୍ରାଇମ୍ ଦୁନିଆରେ ସଂପୃକ୍ତ । ଟିଟୋର କଟକ କ୍ରାଇମ ସିଣ୍ଡିକେଟର ସବୁଠୁ ଦୁର୍ଦ୍ଦାନ୍ତ ଅପରାଧୀ । ହତ୍ୟା, ଡକାୟତି, ଗୁଳିମାଡ଼ ଦାବାବଟି ଭଳି ୪୦ ଅଧିକ ମାମଲା ରହିଛି କାଲାବାବୁ ନାଁରେ । କଟକରେ ୨ଟି ଓ କେନ୍ଦ୍ରାପଡ଼ାରେ ୨ଟି ହତ୍ୟାକାଣ୍ଡରେ ଅଭିଯୁକ୍ତ ହେବାପରେ ପୋଲିସ ରେକର୍ଡରେ ଫେରାର୍ ଏହି ସାର୍ପସୁଟର ।

କଟକର ଦୁଇ ସାର୍ପସୁଟର ଆଝାର ଓ ପିଂଟୁ ଭଳି ହାର୍ଡକୋର ଅପରାଧୀ ମଧ୍ୟ ଟିଟୋର ଇସାରାରେ କାମ କରୁଥିଲେ । ଏସଟିଏଫ୍ ଟିଟୋ ସାମ୍ରାଜ୍ୟକୁ ଯେତିକି ଛାନଭିନ୍ କରୁଛି, ସେତିକି ଚାଂଚଲ୍ୟକର ଖବର ଆସିବାରେ ଲାଗିଛି । ଟିଟୋର ସାର୍ଫସୁଟର ଓ ଗୁଣ୍ଡାବାହିନୀର ତାଲିକା ଦେଖି ତାଜୁବ ହୋଇ ଯାଇଛନ୍ତି ଖୋଦ ତଦନ୍ତକାରୀ ଅଧିକାରୀ ।