ବୈଠକ କରି ଏକତା ଦେଖାଇବେ ବିରୋଧୀ, ଆଜି ସାମିଲ ହେବେନି ଶରଦ ପାୱାର । ଜାଣନ୍ତୁ ଏହା ପଛର କାରଣ କଣ?

ବୈଠକ କରି ଏକତା ଦେଖାଇବେ ବିରୋଧୀ, ଆଜି ସାମିଲ ହେବେନି ଶରଦ ପାୱାର । ଜାଣନ୍ତୁ ଏହା ପଛର କାରଣ କଣ?

କନକ ବ୍ୟୁରୋ : ଦେଶର କିଛି ବିରୋଧୀ ଦଳର ଶୀର୍ଷ ନେତୃତ୍ୱ ଆଜି ବାଙ୍ଗାଲୋରରେ ଦୁଇ ଦିବସୀୟ ଏକତା ବୈଠକରେ ଯୋଗ ଦେବେ । କିନ୍ତୁ ଏହି ବୈଠକରେ ଶରଦ ପାୱାର ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି । ଏନେଇ ଦଳର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏନସିପି ମୁଖପାତ୍ର ମହେଶ ଭାରତ କହିଛନ୍ତି, ଶରଦ ପାୱାର ଓ ସୁପ୍ରିୟା ସୁଲେ ୧୮ ଜୁଲାଇ ଅଥାର୍ତ ବୈଠକର ଦ୍ୱିତୀୟ ଦିନରେ ଯୋଗ ଦେବେ ।

ଏହାପୂର୍ବରୁ ଗତ ୨୩ ଜୁନରେ ପାଟନାରେ ବିରୋଧୀ ଦଳଙ୍କର ବୈଠକ ହୋଇଥିଲା । ଯେଉଁଥିରେ ୧୭ଟି ରାଜନୈତିକ ଦଳ ସାମିଲ ହୋଇଥିଲେ । ତେବେ ଆଜି ହେବାକୁ ଥିବା ବୈଠକରେ ୨୬ରୁ ଅଧିକ ରାଜନୈତିକ ଦଳ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ଯେଉଁମାନେ ଏନଡିଏରେ ନାହାନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳ ବିରୋଧୀ ଦଳର ଏକତା ବୈଠକରେ ସାମିଲ ହୋଇପାରନ୍ତି । ଆଗାମୀ ସଂସଦ ଅଧିବେଶନରେ କଣ ରଣନୀତି ରହିବ ତାହା ଉପରେ ଆଲୋଚନା ହେବ । ସେହିଭଳି ଆଗାମୀ ନିର୍ବାଚନ ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନା ମୁତାବକ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଦଳର ସଭାପତି ମଲ୍ଲିକାର୍ଜୁନେ ଖଡଗେ, ରାହୁଲ ଗାନ୍ଧୀ, କଂଗ୍ରେସ ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଅନ୍ୟାନ୍ୟ ନେତା ମଧ୍ୟ ସାମିଲ ହୋଇପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe