ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ରାଜନୈତିକ ହଇଚଇ । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସପକ୍ଷରେ ବାହାରିଲେ ସଂକଟ ମୋଚକ ଶରଦ ପାୱାର ।

124

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ହଇଚଇ ଖେଳିଯାଇଛି । ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବଟି ଆଦାୟ ଅଭିଯୋଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିିଛି । ଏବେ କଥା ସଂସଦ ଯାଏଁ ପହଂଚିଲାଣି । ଏପଟେ ଅନିଲ ଦେଶମୁଖଙ୍କ ସପକ୍ଷରେ ବାହାରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗରେ ଦମ୍ ନାହିଁ ଏବଂ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।

ତେବେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଯେଉଁ ସମୟ ଚିଠିରେ ଉଲ୍ଲେଖ କରିଛନ୍ତି ସେହି ସମୟ ଅର୍ଥାତ ଫେବୃଆରୀ ୫ରୁ ୧୫ ପର୍ଯ୍ୟନ୍ତ ଅନିଲ ଡାକ୍ତରଖାନାରେ ଓ ୧୬ରୁ ୨୭ ତାରିଖ ଯାଏଁ ହୋମ ଆଇସୋଲେସନରେ ଥିଲେ ତେଣୁ ଏହି ସମୟରେ ସଚିନ ୱାଜେ ଓ ଅନୀଲ ଦେଶମୁଖଙ୍କ ବୈଠକ ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛନ୍ତି ଶରଦ ପାୱାର ।

ଅନ୍ୟପଟେ ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରକୁ ଘେରିଛି ବିଜେପି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି ଦଳ ଓ ଶରଦଙ୍କ ବୟାନକୁ ଖଣ୍ଡନ କରିଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଟୁଇଟ କରି କହିଛନ୍ତି ଯେ ଫେବୃଆରୀ ୧୫ ତାରିଖରେ ଅନିଲ ଦେଶମୁଖ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହାପରେ ନିଜେ ଅନିଲ ଦେଶମୁଖ କହିଛନ୍ତି ସେ ଡାକ୍ତରଖାନାରୁ ବାହାରିବେ ମାତ୍ରେ ସେଠାରେ ଅପେକ୍ଷାରେ ଥିବା କିଛି ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ପରେ ସେ ସେଠାରୁ ଚାଲିଯାଇ ହୋମ ଆଇସୋଲେସନରେ ରହିଥିଲେ ।

ସେପଟେ ଏହି ପ୍ରସଙ୍ଗ ଏବେ ସଂସଦ ଯାଏଁ ପହଂଚିଛି । ଲୋକସଭାରେ ସାଂସଦ ନବନୀତ ରବି ରାଣା ପ୍ରଶ୍ନ କରିଛନ୍ତି ଯେ, ୧୬ବର୍ଷ ଧରି ନିଲମ୍ବିତ ଥିବା ଜଣେ ଅଧିକାରୀଙ୍କୁ କେଉଁ ଭିତ୍ତିରେ ପୁନଃ ଅବସ୍ଥାପିତ କରାଯାଇଥିଲା । ତେଣୁ ସ୍ଥିତି ଏପରି ହୋଇଛି ଯେ ଏବେ ମହାରାଷ୍ଟ୍ର ମହାବିକାଶ ଅଘାଡି ମେଂଟରେ ଫାଟ ସୃଷ୍ଟି ହେବାକୁ ବସିଲାଣି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂ ଶହେ କୋଟି ଟଙ୍କା ବଟି ଆଦାୟ ନିର୍ଦ୍ଦେଶ ଅଭିଯୋଗ ପରେ ତାଙ୍କ ମନ୍ତ୍ରୀ ପଦ ବିପଦରେ ପଡିଛି ।