କନକ ବ୍ୟୁରୋ: ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀଙ୍କୁ ନେଇ ଥମୁନି ବିବାଦ । ବାବା ଯେଉଁ ଚମକ୍ରାର କଥା ଦାବି କରି ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ଏହାକୁ ବିଭିନ୍ନ ସାମାଜିକ ସଂଗଠନ, ରାଜନେତା ବିରୋଧ କରୁଛନ୍ତି । ଏହି ବିବାଦ ଭିତରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱର ନନ୍ଦ । ବାଗେଶ୍ୱର ବାବାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟ ବାଗେଶ୍ୱର ବାବାଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯଦି ସେ ସତରେ ଚମକ୍ରାର କରୁଛନ୍ତି ତେବେ ଉତରାଖଣ୍ଡ ଯୋଶୀମଠରେ ଚାଲିଥିବା ସମସ୍ୟାରେ ସମାଧାନ କରି ଦେଖାନ୍ତୁ ।

Advertisment

ଯୋଶୀମଠରେ ରାସ୍ତାଘାଟ ଭାଙ୍ଗୁଛି ଓ ସହର ଦବୁଛି । ନିଜ ଚମକ୍ରାର ମାଧ୍ୟମରେ ବାବା ବାଗେଶ୍ୱର ଏହାକୁ ରୋକି ଦେଖାନ୍ତୁ ବୋଲି ଅଭିମୁକ୍ତେଶ୍ୱର ନନ୍ଦ ଖୁଲ୍ଲମଖୁ୍ଲା ଚ୍ୟାଲେଞ୍ଜ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଚମକ୍ରାର କଥା କହୁଥିବା ବାବା ବାଗେଶ୍ୱର ଯଦି ଯୋଶୀମଠକୁ ସଙ୍କଟରୁ ରକ୍ଷା କରିବେ ତେବେ ସେ ତାଙ୍କର ଜୟ ଜୟକାର କରିବେ, ସମ୍ମାନ ଜଣାଇବେ । ନଚେତ ଏହା କେବଳ ଗୋଟେ ଡ୍ରାମା ବୋଲି ପ୍ରମାଣିତ ହେବ ।

କିଛି ଦିନ ହେଲା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀଙ୍କୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା । ବାବା ଦାବି କରିଛନ୍ତି ସେ ମନ ପଢ଼ିପାରଛନ୍ତି ଏବଂ ସବୁ ଠିକ୍ ଠିକ୍ କହୁଛନ୍ତି । ବାବା ବାଗେଶ୍ୱର ନାଁରେ ପରିଚିତ ଏହି ସାଧୁଙ୍କ ପାଖକୁ ବଡ଼ ବଡ଼ ନେତା, ଅଭିନେତା ଏବଂ ଶିଳ୍ପପତି ଆସି ତାଙ୍କ ଆର୍ଶୀବାଦ ନେଉଛନ୍ତି । ତେବେ ଏହି ବାବା ଜଣକ ଅନ୍ଧ ବିଶ୍ୱାସର ପ୍ରଚାର କରୁଛନ୍ତି ବୋଲି କିଛି ସଂଗଠନ ତାଙ୍କ ବିରୋଧରେ ପୁଲିସର ଆଶ୍ରୟ ନେଇଛନ୍ତି । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି ।