କମାଲ କଲେ ଭାରତୀୟ ବୋଲର, ୨୩୫ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ ଭାରତ ଆଗୁଆ

120

କନକ ବ୍ୟୁରୋ : ୨୩୫ ରନରେ ପ୍ୟାଭିଲିୟନ ଫେରିଲା ଅଷ୍ଟ୍ରେଲିଆର ପୂରା ଟିମ୍ । ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ପାଳିରେ ୨୩୫ ରନରେ ଅଲଆଉଟ ହେବା ସହ ୧୫ ରନ ପଛୁଆ ରହିଛି ଅଷ୍ଟ୍ରେଲିଆ । ବ୍ୟାଟିଂରେ ଫେଲ ମାରିଥିବା ବିରାଟ ବାହିନୀ ଦମଦାର ବୋଲିଂ ସହ ମ୍ୟାଚକୁ କମବ୍ୟାକ କରିଛି । ଭାରତୀୟ ବୋଲରଙ୍କ ଆଗରେ ମୁଣ୍ଡ ନୁଆଇଁଛି ଘରୋଇ ଦଳ । ମହମ୍ମଦ ସାମି ଲଗାତାର ଦୁଇଟି ବଲରେ ୨ଟି ୱିକେଟ ନେବା ସହ ଅଷ୍ଟ୍ରେଲିଆ ପାଳିରେ ପରିସମାପ୍ତି ଘଟାଇଥିଲେ ।

୧୯୧ ରନରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିବା ଟିମ୍ ଅଷ୍ଟ୍ରେଲିଆ ସ୍କୋରବୋର୍ଡରେ ଆଉ ୪୪ ରନ ଯୋଡିବା ସହ ସମସ୍ତ ୱିକେଟ ହରାଇଥିଲା । ଏକାକୀ ଟ୍ରାଭିସ ହେଡ ଭାରତୀୟ ବୋଲରଙ୍କୁ ମୁକାବିଲା କରିବା ସହ ୭୨ ରନ ସଂଗ୍ରହ କରିଥିଲେ ମଧ୍ୟ ଅନ୍ୟପଟରୁ ତାଙ୍କୁ ଉପଯୁକ୍ତ ସହାୟତା ମିଳିନଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ଓ ଅଶ୍ୱିନ ୩ଟି ଲେଖାଏଁ ୱିକେଟ ହାସଲ କରିଥବା ବେଳେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ୨ଟି ଲେଖାଏଁ ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ।

୨୩୫ ରନରେ ଅଷ୍ଟ୍ରେଲିଆ ଟିମ୍ ଅଲଆଉଟ ହେବା ସହ ପ୍ରଥମ ପାଳିରେ ୧୫ ରନର ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ତେବେ ପ୍ରଥମ ଇନିଂସରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିଲା କୋହଲି ବ୍ରିଗେଡ । ଟିମ୍ ପାଇଁ ଏକାକୀ ଲଢିଥିଲେ ଚେତେଶ୍ୱର ପୂଜାରା । ୧୨୩ ରନର ଏକ ଧୈଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ ପୂଜାରା । ତେବେ ଅନ୍ୟ ସମସ୍ତ ବ୍ୟାଟସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅଷ୍ଟ୍ରେଲିଆ ମାଟିରେ ଫେଲ ମାରିଥିଲେ । ବଡ ସଟ୍ ଖେଳିବା ଆଶାରେ ବେପାରୁଆ ଭାବେ ଆଉଟ ହୋଇଥିଲେ ଭାରତୀୟ ବ୍ୟାଟସମ୍ୟାନ । ତେବେ ପ୍ରଥମ ଇନିଂସରେ ୨୫୦ କରିବା ସହ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା ଭାରତ ।