ବିରଳ ଶାଳଗ୍ରାମରେ ହେବ ରାମଲାଲାଙ୍କ ମୂର୍ତ୍ତି । ଏହାର ବାସ୍ତବତା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

6,294

କନକ ବ୍ୟୁରୋ: ରାମଲାଲାଙ୍କ ପାଇଁ ସ୍ୱତନ୍ତ୍ର ଶିଳା , ଯାହାର ଆୟୁ ୬ କୋଟି ବର୍ଷରୁ ଅଧିକ । ଅଯୋଧ୍ୟା ରେ ନିର୍ମାଣ ହେଉଥିବା ରାମ ମନ୍ଦିରରେ ରାମଲାଲାଙ୍କ ଶିଶୁ ରୂପର ମୂର୍ତ୍ତି ଯେଉଁ ପଥରରେ ତିଆରି ହେବ ତାହା କୌଣସି ସାଧାରଣ ପଥର ନୁହେଁ । ବରଂ ତାହାର ଐତିହସିକ, ପୌରାଣିକ , ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି । ବିରଳ ଶାଳଗ୍ରାମ ପଥରରେ ନିର୍ମାଣ ହେବ ଶ୍ରୀରାମ ଓ ମା’ ସୀତାଙ୍କ ଭବ୍ୟ ମୂର୍ତ୍ତି । ନେପାଳରୁ ଅଯୋଧ୍ୟା ଅଭିମୁଖେ କଡା ସୁରକ୍ଷା ଭିତରେ ଯାଉଛି ଏହି ବିଶାଳ ସ୍ୱତନ୍ତ୍ର ଶିଳା ।

ସୂଚନା ମୁତାବକ, ଏହି ୨ଟି ବିରଳ ଶାଳଗ୍ରାମ ଶିଳାକୁ ନେପାଳରୁ ଅଣାଯାଇଛି । ଏହା ନେପାଳରୁ ବିହାର ପଟ ଦେଇ ଜାନୁଆରୀ ୩୧ ତାରିଖରେ ଗୋପାଳଗଞ୍ଜ ରାସ୍ତାରେ ଉତ୍ତରପ୍ରଦେଶରେ ପ୍ରବେଶ କରିବ । ଏଠାରୁ ଫେବ୍ରୁଆରୀ ପହିଲାରେ ଏହାକୁ ବିଧିବିଧାନ ସହକାରେ ପୂଜାର୍ଚ୍ଚନା କରାଯାଇ ଗୋରଖପୁରରୁ ଅଯୋଧ୍ୟା ଅଣାଯିବ ।

ନେପାଳର ପୁଣ୍ୟୋତୟା ନଦୀ ଗଣ୍ଡୁକି ନଦୀରୁ ମିଳିଥିବା ଏହି ଶାଳଗ୍ରାମ ଶିଳା ଶହେ କି ଦୁଇ ଶହ ବର୍ଷର ନୁହେଁ ବରଂ ୬ କୋଟି ବର୍ଷ ପୁରୁଣା । ଏହି ୨ ଶାଳଗ୍ରାମ ପ୍ରସ୍ତରରେ ନିର୍ମାଣ କରାଯିବ ଶ୍ରୀରାମଙ୍କ ବାଳରୂପ ଓ ମା’ ସୀତାଙ୍କ ପ୍ରତିମୂର୍ତ୍ତି । ରାମଲାଲାଙ୍କ ମୂର୍ତ୍ତି ୫ରୁ ସାଡେ ୫ ଫୁଟ ହେବାକୁ ସ୍ଥିର ହୋଇଛି । ମୂର୍ତ୍ତିର ଉଚ୍ଚତା ଏଭଳି ଭାବରେ ସ୍ଥିତ କରାଯାଇଛି ଯେ, ରାମନବମୀ ଦିନ ସୂର୍ଯ୍ୟଙ୍କ ପ୍ରଥମ କିରଣ ପ୍ରଥମେ ଶ୍ରୀରାମଙ୍କ ଶିଶୁ ରୂପର ସିଧା ମଥାରେ ପଡିବ ।
ନେପାଳରୁ ଅଯୋଧ୍ୟକୁ ଆସୁଥିବା ଏହି ୨ ଶାଳଗ୍ରାମ ଶିଳାକୁ ବାଟ ସାରା ଭବ୍ୟ ସ୍ୱାଗତ କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି । ଲୋକେ ଏହାର ସ୍ପର୍ଶରେ ନିଜକୁ ଧନ୍ୟ ମନେ କରୁଛନ୍ତି । ଜାନୁଆରୀ ୨୬ ତାରିଖରେ ଏହି ୨ ବିରାଟ ଶିଳାକୁ ଗଲେଶ୍ୱର ମହାଦେବ ମନ୍ଦିରରେ ରୁଦ୍ରାଭିଷେକ କରାଯାଇଛି । ଦୁଇଟି ଟ୍ରକରେ ଏହାକୁ ଅଯୋଧ୍ୟାକୁ ଅଣାଯାଉଛି ।

ଶାସ୍ତ୍ର ମୁତାବକ, ଶାଳଗ୍ରାମରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରନ୍ତି । ବିଶ୍ୱାସ ରହିଛି ଯେ, ମା’ ବୃନ୍ଦାବତୀ ଓ ଭଗବାନ୍ ଶାଳଗ୍ରାମଙ୍କ ମଧ୍ୟରେ ବିବାହ ହୋଇଥିଲା । ଅଧିକାଂଶ ଶାଳଗ୍ରାମ ପଥର ପବିତ୍ର ଗଣ୍ଡୁକି ନଦୀରେ ମିଳିଥାଏ । ହିମାଳୟରୁ ପ୍ରବାହମାନ ପାଣି ନଦୀରେ ଖର ସ୍ରୋତରେ ବହିଯାଉଥିବାବେଳେ ଏହି ପଥର ଗୁଡିକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରେ । ଏହାର ରଙ୍ଗ ଦେଖିବାକୁ କଳା ରଙ୍ଗର । କୁହାଯାଏ ଯେଉଁଘରେ ଶାଳଗ୍ରାମ ପୂଜା କରାଯାଏ ସେଠାରେ ସ୍ନେହ, ଶ୍ରଦ୍ଧା, ରହିବା ସହ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ।