ସଲାମ୍ ଶକ୍ତିମାନ୍

73

ବିଧାୟକଙ୍କ ମାଡରେ ଆହତ ହୋଇଥିବା ଉତରାଖଣ୍ଡ ପୁଲିସ ଘୋଡା ଶକ୍ତିମାନର ମୃତ୍ୟୁ ହୋଇଛି । ୨୦୦୬ ମସିହା ମାର୍ଚ୍ଚ ୧୮ ତାରିଖରେ ଶକ୍ତିମାନକୁ ପୁଲିସରେ ସାମିଲ କରାଯାଇଥିଲା । ସେତେବେଳେ ଶକ୍ତିମାନକୁ ୯୫ହଜାର ଟଙ୍କାରେ କିଣା ଯାଇଥିଲା । ପରବର୍ତୀ ସମୟରେ ଶକ୍ତିମାନ ଉପରେ ବ୍ୟାପକ ଭାବେ ନିର୍ଭରଶୀଳ ହୋଇଥିଲା ଉତରାଖଣ୍ଡ ପୁଲିସ୍ । ଶକ୍ତିମାନ ସବୁଦିନ ପାଇଁ ଆଖି ବୁଜିବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷ କରି ସୋସିଆଲ୍ ମିଡ଼ିଆରେ ଶକ୍ତିମାନର ମୃତ୍ୟୁ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି । ଘୋଡ଼ାର ମୃତ୍ୟୁ ପାଇଁ ଅନେକ ରାଜନୈତିକ ଦଳ ବିଜେପିକୁ ଦାୟୀ କରିଥିବା ବେଳେ ସମବେଦନାର ସୁଅ ଛୁଟିବାରେ ଲାଗିଛି ଶକ୍ତିମାନ ପାଇଁ । ଶକ୍ତିମାନର ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ଅନେକ ରାଜନେତା । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ଏହି ପୁଲିସ୍ ଘୋଡ଼ା ଶକ୍ତିମାନର । ଏହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ସଲାମ୍ ଶକ୍ତିମାନ୍

shaktimaan funeralଅନ୍ୟର ଜୀବନରେ ଆଉ ଭରିବ ନାହିଁ ଶକ୍ତିମାନ ଭଲପାଇବାର ନାଲି ନେଳି ରଙ୍ଗ । ଆଉ ଦେଖିବାକୁ ମିଳିବ ନାହିଁ ଶକ୍ତିମାନର ସାହସୀ ଅନ୍ଦାଜ୍ । କାରଣ ପିଠିରେ ସାବାସି ପାଇବାକୁ ଶକ୍ତିମାନ ଆଉ ନାହିଁ ଜୀବନରେ । ୩୮ ଦିନ ଧରି ମୃତୁ୍ୟ ସହ ସଂଗ୍ରାମ ପରେ ହାରିଯାଇଛି ଶକ୍ତିମାନ । ଚିକିତ୍ସାଧୀନ ଅବସ୍ଥାରେ ଯନ୍ତ୍ରଣାରେ ଛଟ ପଟ ହୋଇ ଶେଷକୁ ଆଖି ବୁଜିଛି ଶକ୍ତିମାନ୍ । ଶକ୍ତିମାନର ମୃତ୍ୟୁ ଏକପ୍ରକାର ବାକ୍ ଶୂନ୍ୟ କରିଦେଇଛି ଉତରାଖଣ୍ଡ ପୁଲିସ୍କୁ । ଶକ୍ତିମାନର ମୃତୁ୍ୟ ପାଇଁ ଚିକିତ୍ସା ଅବହେଳାକୁ ଦାୟୀ କରାଯାଇଛି ବିରୋଧୀ ଦଳ ପକ୍ଷରୁ । ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି ବିଭିନ୍ନ ମହଲରେ । ପାଖାପାଖି ୧୦ ବର୍ଷ ଧରି ଉତରାଖଣ୍ଡ ପୁଲିସର ଅଭିନ୍ନ ଅଙ୍ଗ ପାଲଟିଥିଲା ଘୋଡା ଶକ୍ତିମାନ । ପବନ ବେଗରେ ଦୌଡୁଥିବା ଶକ୍ତିମାନ ବିଭିନ୍ନ କାମରେ ପୁଲିସ ପାଇଁ ପାଲଟିଥିଲା ମୁଖ୍ୟ ସହାୟକ । ପୁଲିସବାହିନୀରେ ତାର ଭୂମିକା ଓ ପ୍ରଦର୍ଶନ ଥିଲା ବେଶ ପ୍ରଶଂସନୀୟ । ଶକ୍ତିମାନର ମୃତୁ୍ୟ ଅନେକଙ୍କୁ ଦୁଃଖିତ କରିଛି । କେବଳ ଦୁଃଖ ଦେଇନି ଲଜ୍ଜିତ ମଧ୍ୟ କରିଛି । ଯାଉ ଯାଉ ଶକ୍ତିମାନ ମଣିଷ ସମାଜ ପାଇଁ ଛାଡ଼ି ଯାଇଛି ଅନେକ ଅସମାହିତ ପ୍ରଶ୍ନ । ଏବେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି ସାଧାରଣରେ । ଶକ୍ତିମାନ କାହିଁକି ହେଲା ରାଜନୀତିର ଶିକାର ? ନିଜର କେବଳ କର୍ତବ୍ୟ ପାଳନ କରୁଥିବା ଶକ୍ତିମାନର କ’ଣ ଥିଲା ଭୁଲ୍ ? ନିଜକୁ ଶ୍ରେଷ୍ଠ ଜୀବ କହୁଥିବା ମଣିଷର ଏହା କ’ଣ ମଣିଷପଣିଆ ? ଅନେକ ପ୍ରଶ୍ନ ଯାହାର ଉତର ନାହିଁ ।

ଶକ୍ତିମାନର ମୃତ୍ୟୁରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜୀବଜନ୍ତୁଙ୍କ ହିତରେ କାର୍ଯ୍ୟରତ ଅନେକ ସଙ୍ଗଠନ । ପଶୁ ଅତ୍ୟାଚାର ରୋକିବା ଦିଗରେ ଆଇନ୍ ଆହୁରି କଠୋର ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ଅନେକ ଜୀବଜନ୍ତୁ ପ୍ରେମୀ । ଶକ୍ତିମାନର ମୃତ୍ୟୁପରେ ରାଜନୈତିକ ମାହୋଲରେ ଆରମ୍ଭ ହୋଇଯାଇଛି କାଦୁଅ ବୋଳାବୋଳି । ବିଜେପି ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଥିବା ବେଳେ ଘୋଡ଼ା ଉପରେ ଆକ୍ରମଣ କରିଥିବା ବିଜେପି ବିଧାୟକ ଗଣେଶ ଯୋଶୀ ଦୋଷୀ ପ୍ରମାଣିତ ହେଲେ ନିଜ ଗୋଡ଼ କାଟିବାର କଥା କହି ନିର୍ଲଜପଣିଆର ନମୁନା ପ୍ରଦର୍ଶନ କରିିଛନ୍ତି । ପରିବେଶବିତ ମାନେକା ଗାନ୍ଧୀ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଶକ୍ତିମାନର ମୃତ୍ୟୁରେ । ସୋସିଆଲ୍ ମିଡ଼ିଆରେ ଅନେକ ଶକ୍ତିମାନକୁ ସହିଦ୍ ମାନ୍ୟତା ପାଇଁ ଦାବି କରିଛନ୍ତି । ଅନେକ ଶକ୍ତିମାନ ପାଇଁ ଶ୍ରଦ୍ଧାଂଜଳି ମଧ୍ୟ ଜ୍ଞାପନ କରିଛନ୍ତି

dehradun-santosh-hindustan-injured-police-dehradun-shaktiman_984b7f84-fae0-11e5-bced-6695953481e2ଗତ ମାର୍ଚ୍ଚ ମାସ ୧୪ ତାରିଖ । ବିଜେପି ଡାକିଥିଲା ଆନ୍ଦୋଳନ ଡାକରା ଉତରାଖଣ୍ଡ ସରକାରଙ୍କ ବିରୁଦ୍ଧରେ । ଡେରାଡୁନରେ ଆଇନଶୃଙ୍ଖଳା ରକ୍ଷା ଲାଗି ମୁତୟନ ହୋଇ ଥିଲା ଶକ୍ତିମାନ । ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲା ପୁଲିସ୍ ଓ ପ୍ରଶାସନ । ମସୌରିର ବିଜେପି ବିଧାୟକ ଗଣେଶ ଯୋଶୀ କୁଦି ପଡିଥିଲେ ଶକ୍ତିମାନ ଉପରେ । ଅତି ଅମଣିଷ ଭାବେ ଆକ୍ରମଣ କରିଚାଲିଥିଲେ ଘୋଡ଼ା ଉପରେ । ପ୍ରତିବାଦ କରିବାର କ୍ଷମତା ଶକ୍ତିମାନକୁ ଦେଇନଥିଲା ବିଧାତା । ବାଧ୍ୟରେ ଓ ବିନା ପ୍ରତିବାଦରେ ଶକ୍ତିମାନ ସହି ଚାଲିଥିଲା ବିଜେପି ବିଧାୟକଙ୍କ ଅତ୍ୟାଚାର । ବିଧାୟକଙ୍କ ମାଡରେ ଶକ୍ତିମାନର ବାମ ପଛ ଗୋଡ ଭାଙ୍ଗିଯାଇଥିଲା । ଶକ୍ତିମାନ ହୋଇ ଯାଇଥିଲା ସବୁଦିନ ପାଇଁ ଶକ୍ତିହୀନ । ଆମେରିକାରୁ ୨ ଲକ୍ଷରୁ ଅଧିକ ମୂଲ୍ୟର କୃତ୍ରିମ ଗୋଡ ଲଗାଯାଇ ତାକୁ ବଂଚାଇବା ପାଇଁ ଉଦ୍ୟମ କରାଯାଇଥିଲା । ସାହସୀ ଯବାନ ଭଳି ଏଭଳି ସଂକଟରେ ମଧ୍ୟ ଲଢେଇ ଜାରି ରଖିଥିଲା ସେ । ତେବେ ଅତ୍ୟଧିକ ଯନ୍ତ୍ରଣାରୁ ଜୀବନ ପ୍ରତି ଧିରେ ଧିରେ ବିମୁଖ ହୋଇ ପଡିଥିଲା ଶକ୍ତିମାନ । ଡାକ୍ତରଙ୍କ ଆକ୍ଲାନ୍ତ ପରିଶ୍ରମ ବି ଫେଲ ମାରିଥିଲା । ଶେଷକୁ ଆଖି ବୁଜିଥିଲା ଶକ୍ତିମାନ । ତା’ ନିରବଚ୍ଛିନ୍ନ ସେବାର ପ୍ରତିଦାନ ଭାବେ ମଣିଷ ଜାତି ତାକୁ ଦେଇଥିଲା ଅକାଳ ମୃତ୍ୟୁ ।

ହୁଏ ତ ନ୍ୟାୟାଳୟରେ ଦୋଷୀ ପାଇବ ଦଣ୍ଡ । ତେବେ ତାହା ଫେରାଇ ଆଣି ପାରିବନାହିଁ ସହିଦ୍ ଶକ୍ତିମାନର ଜୀବନ । ଶକ୍ତିମାନ ସହ କାମ କରିଥିବା ଉତରାଖଣ୍ଡ ପୁଲିସ୍ ପାଇଁ ଶକ୍ତିମାନର ମୃତ୍ୟୁ ଏକ ଅପୂରଣୀୟ କ୍ଷତି । ଯାହାର ଭରଣା ଆଗାମୀ ଦିନରେ ସମ୍ଭବ ହେବନାହିଁ । ତେବେ ପଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଦିଗରେ ଆଇନ୍ ଆହୁରି କଠୋର ହେବା ଆବଶ୍ୟକ ଏହା ନିଃସନେ୍ଦହ ।