କ୍ୟାପଟେନ କୁଲଙ୍କୁ ନେଇ ଆଫ୍ରିଦିଙ୍କ ବୟାନ: କହିଲେ, ପାକିସ୍ତାନକୁ ସାଇଡ୍ କରିଦେଇଥିଲେ ଧୋନୀ

512

କନକ ବ୍ୟୁରୋ: ପୁରୁଣା କଥା ମନେପକାଇଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି । କହିଲେ କେମିତି ଧୋନୀ ପାକିସ୍ତାନକୁ ପୂରା ସାଇଡ କରି ରଖିଥିଲେ । ତାଙ୍କ ସମୟରେ ଧୋନୀ କେମିତି ଟିମ ଇଣ୍ଡିଆକୁ ଏକ ନୂଆ ଦିଗ ଦେଖାଇଥିଲେ । ଟି-୨୦ ବିଶ୍ୱକପ ପୂର୍ବରୁ ଆଫ୍ରିଦିଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଟି-୨୦ ବିଶ୍ୱକପକୁ ଆଉ ଦିନକେଇଟା । ଅକ୍ଟୋବର ୨୩ ତାରିଖରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ଏହି ମ୍ୟାଚକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଆଉ ଏହି ସବୁ ଭିତରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବୟାନବାଜି ମଧ୍ୟ ଆରମ୍ଭ ହେଲାଣି । ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏହି ବୟାନ ଦେଇଛନ୍ତି ।

ଆଫ୍ରିଦି ଏକ ଇଣ୍ଟରଭ୍ୟୁରେ କହିଥିଲେ, ଧୋନୀ ଟିମ ଇଣ୍ଡିଆର ଗତିକୁ ବଦଳାଇ ଦେଇଥିଲେ । ତାଙ୍କ ସମୟରେ ପାକିସ୍ତାନକୁ ସେ ପୂରା ସାଇଡ କରି ରଖିଥିଲେ । ଭାରତ-ପାକିସ୍ତାନ ଭିତରେ ଯେଉଁ ଦମଦାର ଲଢେଇ ହେଉଥିଲା ତାକୁ ବି ସେ ବନ୍ଦ କରିଦେଇଥିଲେ । ସେ ଲଗାତାର ଭାରତକୁ ବିଜୟର ଭେଟି ଦେଉଥିଲେ । ଏମିତିକି ସେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଦ ଆଫ୍ରିକାକୁ ବି ହରାଇ ବା ଆରମ୍ଭ କରିଥିଲେ ।

ଭାରତ ଓ ପାକିସ୍ତାନ ଭିତରେ ଯେତେବେଳେ ବି ଲଢେଇ ହୋଇଥାଏ ତାହା ରୋମାଞ୍ଚକର ହୋଇଥାଏ । ହେଲେ ଏବେ କେବଳ ଆଇସିସି ଇଭେଣ୍ଟରେ ୨ ଦେଶ ମୁହାଁମୁହିଁ ହେଉଛନ୍ତି । ଯଦି ୨ ଦେଶର ରେକର୍ଡ ଉପରେ ନଜର ପକାଇବା ତେବେ ୨୦୨୧ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ କେବେ ବି କୌଣସି ବିଶ୍ୱକପରେ ପାକିସ୍ତାନଠାରୁ ପରାଜିତ ହୋଇନାହିଁ । ୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ଏବେ ଅକ୍ଟୋବର ୨୩ରେ ଦୁଇ ଦେଶ ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ।

ବର୍ତ୍ତମାନର ସ୍ଥିତି ଦେଖିଲେ ପାକିସ୍ତାନ ଭାରତ ଉପରେ ଭାରି ପଡୁଛି । ପାକିସ୍ତାନର ଦୁଇ ଓପନରଙ୍କ ଫର୍ମ ଭାରତ ପାଇଁ ଚିନ୍ତା ପାଲଟିଛି । ସେପଟେ ଭାରତର ଗୋଟିଏ ପରେ ଗୋଟିଏ ବୋଲର ଆହାତ ହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ବିଶ୍ୱକପରେ ଯଦି ଭାରତ ତାର ବୋଲିଂରେ ସୁଧାର ନଆଣେ ତେବେ ଏହାର ଫଳାଫଳ ଭାରତ ପାଇଁ କାଳ ସାଜିପାରେ ।