ଏସିଆ କପ୍ ପୂର୍ବରୁ ପାକିସ୍ତାନକୁ ଲାଗିପାରେ ଝଟକା । ଭାରତ ବିପକ୍ଷରେ ମ୍ୟାଚ୍ ଖେଳିନପାରନ୍ତି ଷ୍ଟାର ବୋଲର ଶାହୀନ ଆଫ୍ରିଦି । ଜାଣନ୍ତୁ, ଏହା ପଛର କାରଣ…

219

କନକ ବ୍ୟୁରୋ: କେ ଏଲ ରାହୁଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏବେ ଜିମ୍ବାୱେ ବିପକ୍ଷ ସିରିଜ୍ ଖେଳିବାକୁ ବାହାରି ସାରିଛି । ହେଲେ ଏବେ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ନଜରରେ ରହିଛି ଏସିଆ କପ୍ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ୍ ୨୮ ଅଗଷ୍ଟକୁ ଥିବାବେଳେ, ଏହିଦିନ ପାକିସ୍ତାନ ସହ ମୁହାଁମୁହିଁ ହେବ ଭାରତୀୟ ଦଳ । ତେବେ ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ଏକ ବଡ ଝଟକା ଲାଗିବା ଜଣାପଡୁଛି । ପାକିସ୍ତାନୀ ଷ୍ଟାର ବୋଲର ଶାହୀନ ଆଫ୍ରିଦି ଆହତ ଜନିତ ସମସ୍ୟା ହେତୁ ଭାରତ ବିପକ୍ଷ ମ୍ୟାଚରୁ ବାଦ୍ ପଡିପାରନ୍ତି ବୋଲି ସୂଚନା ମିଳୁଛି ।

କିଛି ଦିନ ତଳେ ପାକିସ୍ତାନୀ ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଆହତ ହୋଇଥିଲେ । ଏହାପରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସେ ଖେଳିପାରିନଥିଲେ । ଏହାପରେ ନେଦରଲ୍ୟାଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ତାଙ୍କୁ ବାଦ୍ ଦିଆଯାଇଥିଲା । ତେବେ ଏସିଆ କପ୍ ବେଳକୁ ଯଦି ସେ ଫିଟ୍ ସାବ୍ୟସ୍ତ ନହୁଅନ୍ତି, ତେବେ ଭାରତ ବିପକ୍ଷ ମ୍ୟାଚରେ ତାଙ୍କୁ ଦେଖିବାକୁ ମିଳିନପାରେ । ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ କହିବା କଥା, ଶାହୀନ ଆଫ୍ରିଦି ନେଦରଲ୍ୟାଣ୍ଡ ଯିବେ, ଯେଉଁଠି ଟିମ୍ ଡାକ୍ତର ତାଙ୍କର ଯତ୍ନ ନେବେ । ତେବେ ଯଦି ସେ ଫିଟ୍ ହୁଅନ୍ତି, ତେବେ ଖୁବଶୀଘ୍ର ମ୍ୟାଚ୍ ଖେଳିବେ ବୋଲି ବାବର କହିଛନ୍ତି । ଆଗକୁ ଏସିଆ କପ୍ ଅଛି, ତେଣୁ ଏହା ପୂର୍ବରୁ ଯଦି ଶାହୀନ ଆଫ୍ରିଦି ଫିଟ୍ ସାବ୍ୟସ୍ତ ନହୁଅନ୍ତି ତେବେ ପାକିସ୍ତାନକୁ ବଡ ଝଟକା ଲାଗିପାରେ ।

ସୂଚନାଯୋଗ୍ୟ ଯେ, ଗତ ଟି-୨୦ ବିଶ୍ୱକପରେ ଭାରତକୁ ବଡ ଝଟକା ଦେଇଥିଲେ ଶାହୀନ ଆଫ୍ରିଦି । ଭାରତ ବିପକ୍ଷ ମ୍ୟାଚରେ ସେ ଦମଦାର ବୋଲିଂ କରିବା ସହିତ ଭାରତର ଟପ୍ ଅର୍ଡରକୁ ଧ୍ୱଂସବିଧ୍ୱଂସ୍ତ କରିଦେଇଥିଲେ । କେ ଏଲ ରାହୁଲଙ୍କଠାରୁ ଆରମ୍ଭ କରି ବିରାଟ କୋହଲି, ରୋହିତ ଶର୍ମାଙ୍କ ୱିକେଟ୍ ନେଇଥିଲେ ଶାହୀନ ଆଫ୍ରିଦି । ଏସିଆ କପ୍ ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେୁଥିବାବେଳେ, ଅଗଷ୍ଟ ୨୮ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ । ଟି-୨୦ ଫର୍ମାଟରେ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ଥର ୟୁଏଇରେ ଆୟୋଜିତ ହେଉଛି ।