ଦିବ୍ୟାଙ୍ଗଙ୍କୁ କଲ୍ୟାଣ ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା ? ଏନେଇ ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶକୁ ରିମାଣ୍ଡରେ ଆଣିପାରେ ପୋଲିସ

ଗତକାଲି ଗିରଫ ପରେ ଜେଲ ଯାଇଛି ମୁଖ୍ୟ ଅଭିଯୁକ୍ତ ସୁରେଶ ବେହରା

210

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା । ଏହି ମାମଲାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ । ରିମାଣ୍ଡରେ ନେବାକୁ ଆଜି ଆବେଦନ କରିପାରେ ପୋଲିସ । ସୁରେଶ ବେହେରାଙ୍କୁୁ ଗିରଫ କରିବା ପରେ ଗତକାଲି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ତାପରେ ବଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରାଙ୍କ ସମେତ ୬ଜଣଙ୍କୁ କମିସନରେଟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଖୋର୍ଦ୍ଧା ଡିଏସଏସଓର ସିନିଅର ସେକ୍ସନ ଅଫିସର ସଂଗ୍ରାମ ଦାସ, କଟକର ଜଣେ ରାଣୀ ମହୁମାଛି, ଭୁବନେଶ୍ୱରର ଜଣେ ଦଲାଲ ଲୁଲୁ ଓ ସଂପୃକ୍ତ ଅନୁଷ୍ଠାନର ଜଣେ କର୍ମୀ ରାକେଶ କୁମାର ଷଡଙ୍ଗୀ ଗିରଫ ହୋଇଥିଲେ । ପୂର୍ବରୁ ସୁରେଶର ମୁଖ୍ୟ ସହଯୋଗୀ ମଧୁମଂଜରୀ ଧଳକୁ ଗିରଫ କରିଥିଲା ପୁଲିସ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ମଧୁମଂଜରୀ ଓ ସୁରେଶ ବେହେରା ୫ ହଜାର ଟଙ୍କାର ଲୋଭ ଦେଖାଉଥିବା ନେଇ ଅଭିଯୋଗ ଆସିଥିଲା । ଭିନ୍ନକ୍ଷମ ମହିଳାଙ୍କୁ ଯୌନ ନିର୍ଯାତନା ସହ ଯୌନ ଶୋଷଣରେ ଲିପ୍ତ ହେବା ପାଇଁ ବାଧ୍ୟ କରୁଥିବାର ସାଂଘାତିକ ଅଭିଯୋଗ ରହିଛି ଏହି ଅଭିଯୁକ୍ତଙ୍କ ବିରୋଧରେ ।

ସଂସ୍ଥାରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି କେଳେଙ୍କାରୀ। ଅଡିଟର୍‌ମାନଙ୍କୁ ଖୁସି କରାଇ ଅଭିଯୁକ୍ତ ସୁରେଶ ସଂସ୍ଥାକୁ ମିଳୁଥିବା ସମସ୍ତ ଆର୍ଥିକ ଅନୁଦାନର ୭୦ ଭାଗ ଆତ୍ମସାତ୍‌ କରୁଥିଲା। ଏଥିରୁ ସଂଯୁକ୍ତା, ବାସନ୍ତୀ ଓ ରାକେଶ କିଛି କିଛି ଭାଗ ପାଉଥିଲେ। କିନ୍ତୁ ସିଂହଭାଗ ଥିଲା ସୁରେଶର। ପ୍ରାଥମିକ ଆକଳନ ଅନୁସାରେ ସେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସରକାରୀ ଅନୁଦାନକୁ ଆତ୍ମସାତ କରିବା ପାଇଁ ବିଧିବଦ୍ଧ ଷଡ଼୍‌ଯନ୍ତ୍ର ରଚିଥିଲା। ଦେହଜୀବୀମାନଙ୍କ ପଛରେ ଅନୁଦାନ ଟଙ୍କା ଉଡ଼ାଉଥିବା ସୁରେଶ କିନ୍ତୁ ଅତି କମ୍‌ ଟଙ୍କା ଦରମାରେ ବା ଷ୍ଟାଇପେଣ୍ଡ୍‌ରେ ଇନ୍‌ଷ୍ଟ୍ରକ୍ଟରମାନଙ୍କୁ ଖଟାଉଇଥିଲା। ଏଣେ ଏଥିରେ ସୁରେଶକୁ ବଡ଼ ସହାୟତା ଯୋଗାଉଥିଲେ ଖୋର୍ଦ୍ଧା ଡିଏସ୍‌ଏସ୍‌ଓ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାସ।

ରେକର୍ଡପତ୍ରକୁ ଠିକ୍‌ଠାକ୍ କରାଇ ଦେଉଥିଲେ। ସବୁ ପ୍ରକାର ଅଭିଯୋଗପତ୍ରକୁ ତଳୁ ହିଁ ଚାପି ଦେଉଥିଲେ ଓ ଉପରସ୍ତରରେ ପହଞ୍ଚିବାକୁ ଦେଉନଥିଲେ। ଫଳରେ ଦୀର୍ଘ ଦିନ ଧରି ଏଭଳି କାରବାର ସୁରୁଖୁରୁରେ ଚାଲିଥିଲା। କିନ୍ତୁ ଏସବୁ ସେ ବିନା ମୂଲ୍ୟରେ କରୁନଥିଲେ। ଏଥିପାଇଁ ସେ ନିୟମିତ ଏହି ଅନୁଷ୍ଠାନକୁ ଯିବା ଆସିବା କରିବା ସହ ନିଜର ଯୌନକ୍ଷୁଧା ମେଣ୍ଟାଉଥିଲେ ବୋଲି ପ୍ରମାଣ ମିଳିଛି। ସଂଗ୍ରାମଙ୍କୁ ସୁନ୍ଦରୀ ଯୁବତୀ ଯୋଗାଇବା ପାଇଁ ଅଭିଯୁକ୍ତ ସୁରେଶକୁ ସହଯୋଗ କରୁଥିଲେ ପ୍ଲେସ୍‌ମେଣ୍ଟ ଅଫିସର ରାକେଶ ଷଡ଼ଙ୍ଗୀ ଓ ବ୍ୟୁଟିସଆନ୍‌ ସଂଯୁକ୍ତା । ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଜେରା କଲାବ‌େଳେ ସୁରେଶ ଏସବୁ ସ୍ବୀକାର କରିଥିଲା।

ସୂଚନାଯୋଗ୍ୟ ନୂଆପଡା ସିନାପାଲିର ଜଣେ ମହିଳା ଗତବର୍ଷ ନଭେମ୍ବର ୨୩ ତାରିଖରେ ସମ୍ପାଦକ ସୁରେଶଙ୍କ ବିରୋଧରେ ଠକେଇ, ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏପରିକି ସଂସ୍ଥାକୁ ଅଡିଟ୍ କରିବାକୁ ଆସୁଥିବା ବରିଷ୍ଠ ଅଧିକାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ।

ଏହି ଅନୁଷ୍ଠାନରେ ଚାଲିଥିବା ଯୌନ କାରବାରର ରାଣୀ ମହୁମା‌ଛି ଥିଲା ବ୍ୟୁଟିସିଆନ୍‌ ସଂଯୁକ୍ତା । ସଂସ୍ଥାର ପୂର୍ବତନ ସମ୍ପାଦକ ତଥା ଯୌନ କାରବାରର କାର୍ପଟ୍‌ଦାର ସୁରେଶର ଇଙ୍ଗିତରେ ସବୁ ଚାଲିଥିଲା। ଅଡିଟ୍‌ କରିବାକୁ ଆସୁଥିବା ଅଫିସରଙ୍କୁ ଖୁସି କରିବା ପାଇଁ ଯୋଗାଇ ଦିଆଯାଉଥିଲା ଯୁବତୀ । ଅନ୍ୟ ଦୁଇ ମହିଳା ସାଜିଥିଲେ ଦଲାଲ । ବଡ଼ କଥା ହେଉଛି, ବହୁ ଅଫିସରଙ୍କ ପସନ୍ଦ ଥିଲା ଅଣଓଡ଼ିଆ ଯୁବତୀ । ତେଣୁ ଅଧିକ ସଂଖ୍ୟାରେ ବଙ୍ଗୀୟ ଯୁବତୀମାନଙ୍କୁ ଏଠାରେ ନିୟୋଜିତ କରାଯାଉଥିଲା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଡିଟ୍‌ ହେଉଥିଲା । ପ୍ରାୟ ସମସ୍ତେ ଅଣଓଡ଼ିଆ ଯୁବତୀ ଚାହୁଥିଲେ । ‌ଯୁବତୀ ଯୋଗାଉଥିଲେ ରାକେଶ ଓ ବାସନ୍ତୀ । ବାସନ୍ତୀ କଟକରେ ରହି ଏହି ଦଲାଲି କରୁଥିଲା ।

ପୁଲିସ ସୂଚନାନୁସାରେ, ବାସନ୍ତୀ ବିଭିନ୍ନ ଜାଗାକୁ ଝିଅ ଯୋଗାନ୍ତି ଓ ଏହା ତା’ର ଏକପ୍ରକାର ମୁଖ୍ୟ ବେଉସା। ତେଣୁ ବହୁ ଓଡ଼ିଆ ଓ ଅଣଓଡ଼ିଆ(ବଙ୍ଗୀୟ) ଯୁବତୀ ତା’ ରୢାକେଟ୍‌ରେ ଅଛନ୍ତି। ବାସନ୍ତୀ ପାଖରୁ ଅନୁଷ୍ଠାନକୁ ରାକେଶ ହିଁ ଦେହଜୀବୀମାନଙ୍କୁ ନେବା ଆଣିବା କରିଥାଏ। ଦେହ ବେପାର ପାଇଁ ନିୟୋଜିତ ହେଉଥିବା ଯୁବତୀମାନଙ୍କୁ ସଂସ୍ଥାକୁ ମିଳୁଥିବା ସରକାରୀ ଅନୁଦାନରୁ ଖର୍ଚ୍ଚ କରାଯାଉଥିଲା । ତେବେ ବେଳେବେଳେ ସଂସ୍ଥାରେ କାମ କରୁଥିବା ଝିଅମାନଙ୍କୁ ମଧ୍ୟ ଯୌନ କାରବାରରେ ନିୟୋଜିତ କରାଯାଉଥିଲା । ଏଥିପାଇଁ ସଂଯୁକ୍ତା କାହାକୁ ଧମକାଉଥିଲା ତ କାହାକୁ ମୋଟା ଦରମାର ଲୋଭ ଦେଖାଉଥିଲା । ପୁଣି କାହାକୁ ଇମୋସନାଲ୍‌ ବ୍ଲାକ୍‌ମେଲିଂ କରି ସଂଯୁକ୍ତା ଏହି କାରବାର ଚଳାଇ ଆସୁଥିଲା ।