‘ସେଭେନ ଷ୍ଟାର ଷ୍ଟିଲ କାରଖାନା’ ବଢ଼ାଉଛି ପ୍ରଦୂଷଣ! କମ୍ପାନୀ ବିରୋଧରେ ଗ୍ରାମବାସୀଙ୍କ ଅଭିଯୋଗ

147

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ବର୍ତମାନର ଏକ ବଡ଼ କାରଣ ପାଲଟିଛି । ବିଭିନ୍ନ ସ୍ଥାନରେ ଏବେ ଭିନ୍ନ ଭିନ୍ନ କାରଣରୁ ପରିବେଶ ପ୍ରଦୂଷଣ ହେଉଛି । ଲୋକମାନେ ଏହାଦ୍ୱାରା ବେଶ ପ୍ରଭାବିତ ହେଉଛନ୍ଚି । ଝାରସୁଗୁଡାରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ କଳକାଖାନା । ‘ସେଭେନ ଷ୍ଟାର ଷ୍ଟିଲ କାରଖାନା’ ଯୋଗୁଁ ସ୍ଥାନୀୟ ଅଂଚଳରେ ପ୍ରଦୂଷଣମାତ୍ରା ବଢୁଥିବା ଅଭିଯୋଗ ହୋଇଛି ।

ଲୋକଙ୍କ ଅଭିଯୋଗ ଅନୁସାରେ, ଝାରସୁଗୁଡ଼ା କଲେଣ୍ଡାମାଲ ଠାରେ ଥିବା ‘ସେଭେନ ଷ୍ଟାର କାରଖାନା’ ଯୋଗୁଁ ସ୍ଥାନୀୟ ଅଂଚଳରେ ପ୍ରଦୂଷଣ ମାତ୍ରା ବଢୁଛି । ୧୫ ବର୍ଷ ହେଲା କମ୍ପାନୀରୁ ବାହାରୁଥିବା ଧୂଳି-ଧୂଆଁ, ବର୍ଯ୍ୟବସ୍ତୁ ଓ ରସାୟନ ଯୁ୍କ୍ତ ପାଣି ବାୟୁ ସହ ଚାଷ ଜମି ନଷ୍ଟ ହେଉଛି । କଲେଣ୍ଡାମାଲ ପଂଚାୟତର କେଲଡାଗୁଡି, କଲେଣ୍ଡାମାଲ, ସିଆଲରମା ଆଦି ଅଂଚଳର ଗଛପତ୍ର, ଘରଦ୍ୱାର ସବୁ ଧୂଳିରେ ଢାଙ୍କି ହୋଇପଡୁଥିବା ବେଳେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ।

କମ୍ପାନୀ, ପ୍ରଦୂଷଣ ନିୟମ ଉଲଂଘନ କରି ଖୋଲା ସ୍ଥାନରେ ବର୍ଜ୍ୟବସ୍ତୁ ପକାଉଛି । ତେଣୁ ପ୍ରଦୂଷଣ ବଢ଼ିବା ସହ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଅନେକ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି । ସେହିପରି କାରଖାନା ପକ୍ଷରୁ ଜଳ ସଂରକ୍ଷଣ ବ୍ୟବସ୍ଥା ନାହିଁ । ପାରିପାର୍ଶ୍ୱକ ଉନ୍ନୟନ ଓ ସାମାଜିକ ଦାୟିତ୍ୱବୋଧ ନିର୍ବାହ ପାଇଁ ଅର୍ଥ ଖର୍ଚ୍ଚ କରାଯାଉ ନାହିଁ ‘ସେଭେନ ଷ୍ଟାର ଷ୍ଟିଲ କାରଖାନା’ । ତେଣୁ କମ୍ପାନୀ ବିରୋଧରେ, ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

କମ୍ପାନୀ ବିରୁଦ୍ଧରେ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ହେଲେ କୌଣସି ପ୍ରଶାସନିକ ଅଧିକାରୀ ଲୋକଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।