କାବୁଲ ଏୟାରପୋର୍ଟରୁ ଆସିଲା ଅଭାବନୀୟ ଚିତ୍ର : ଛୋଟ ପିଲାକୁ ଏୟାରପୋର୍ଟ ଭିତରକୁ ଛାଡ଼ିଦେବାକୁ ପ୍ରୟାସ; ନିଜ ଜୀବନ ପଛେ ଚାଲିଯାଉ, ହେଲେ ପିଲାର ଜୀବନ ସୁରକ୍ଷିତ ରହୁ
କନକ ବ୍ୟୁରୋ : କାବୁଲର ଭୟାବହ ସ୍ଥିତି ଭିତରେ ସାମ୍ନାକୁ ଆସିଛି ଛାତିଥରା ଦୃଶ୍ୟ । ନିଜ ଜୀବନର ଭରସା ନଥିବା ବେଳେ ପିଲାଙ୍କୁ ବଂଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବାପା ମାଆ । କେତେବେଳେ କ’ଣ ହେବ, କିଏ ତାଲିବାନୀଙ୍କ ହାବୁଡରେ ପଡିଯିବେ କିଛି ଜଣାନାହିଁ । ନିଜ ଜୀବନ ପଛେ ଚାଲିଯାଉ, ହେଲେ ପିଲାର ଜୀବନ ସୁରକ୍ଷିତ ରହୁ । ଏହି ଆଶାରେ ପିଲାଙ୍କୁ ଦୂରେଇବାକୁ ବାଧ୍ୟ ହେଉଛନ୍ତି ବାପା ମାଆ ।
Kanak News is now on WhatsApp
Join and get latest news updates delivered to you via WhatsApp
କଅଁଳ ଶିଶୁକୁ ଅନ୍ୟ ହାତକୁ ଟେକି ଦେଉଛନ୍ତି । ଜାଣିନାହାନ୍ତି, ତାଙ୍କ ପିଲା କେଉଁଠି ରହିବ, କାହା ପାଖରେ ରହିବ, ହେଲେ ଆଶା ତାଙ୍କ ପିଲା କାବୁଲ ଆକାଶରୁ ଉଡିଗଲା ପରେ ସୁରକ୍ଷିତ ରହିବ । କାବୁଲ ଏୟାରପୋର୍ଟରୁ ଆସିଥିବା ଏହି ଚିତ୍ର ଏପରି କିଛି ବୟାନ କରୁଛି । ବିମାନ ବନ୍ଦରର ପାଚେରୀ ଆରପଟେ ଉଡାଣ ଅପେକ୍ଷାରେ ରହିଛି ବିମାନ । ଆଉ ଏପଟେ ପିଲା ଛୁଆଁଙ୍କୁ ଧରି ଭିଡ ଜମାଇଛନ୍ତି ହଜାର ହଜାର ସଂଖ୍ୟାରେ ଲୋକ । ଏହାରି ଭିତରେ ନିଜର ଶିଶୁକୁ ତାରବାଡ ପାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯଦି କେହି ବିମାନ ବନ୍ଦରରୁ ଶିଶୁଟିକୁ ନେଇଯିବ । ଆଉ ପିଲାଟି ବିମାନରେ ଅନ୍ୟ କେଉଁ ଦେଶକୁ ଚାଲିଯିବ । ହୁଏତ ତା ଜୀବନ ବଂଚିଯିବ ।
ତାଲିବାନର କାବୁଲ କବଜା ପରେ ଆଫଗାନିସ୍ତାନ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଲୋକେ । ଏହାର ଭିତରେ ଆମେରିକା ତାର ସେନାକୁ ଫେରାଇ ନେଉଛି । ସେନାକୁ ନେବା ପାଇଁ ବିମାନ ବନ୍ଦରରେ ପହଂଚୁଛି ଗୋଟିଏ ପରେ ଗୋଟିଏ ବିମାନ । ଜୀବନ ବଂଚାଇ ସେହି ବିମାନରେ ଦେଶ ଛାଡି ପଳାଇ ଯିବାକୁ ଚେଷ୍ଟା କରୁଛନ୍ତି ଆଫଗାନବାସୀ । ଆଉ ଏ ହେଉଛି ସେହି ସମୟର ଦୃଶ୍ୟ । ବିମାନରେ ଯିବା ପାଇଁ କାବୁଲ୍ ଏୟାରପୋର୍ଟ ବାହାରେ ଲୋକଙ୍କ ପ୍ରବଳ ଗହଳି ଲାଗୁଛି ।