ଦକ୍ଷିଣା ଥାଳି ଉଠାଇବାକୁ ପ୍ରଶାସନର ନିର୍ଦ୍ଦେଶ ପରେ ସେବାୟତ ଦେଲେ ଡେଡଲାଇନ୍ : ସେପ୍ଟେମ୍ବର ୫ ସୁଦ୍ଧା ପୁନର୍ବିଚାର ନକଲେ ଗଜପତିଙ୍କୁ ହସ୍ତାନ୍ତର କରିବେ ଚାବି

40

କନକ ବ୍ୟୁରୋ : ଶ୍ରୀମନ୍ଦିରରୁ ଦାନ ଓ ଦକ୍ଷିଣା ଥାଳି ଉଠାଇବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବା ପରେ ଡେଡଲାଇନ୍ ଦେଇଛନ୍ତି ସେବାୟତ । କହିଛନ୍ତି ସେପ୍ଟେମ୍ବର ପାଂଚ ସୁଦ୍ଧା ନିର୍ଦ୍ଦେଶର ପୁନଃ ବିଚାର ନକଲେ ବଡ ଦେଉଳର ସମସ୍ତ ଚାବି ଗଜପତି ମହାରାଜଙ୍କୁ ଦେଇଦେବେ । ସେବାୟତଙ୍କ ଏହି ଧମକ ପରେ ବଡ ଦେଉଳରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ସୃ୍ଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ଏବଂ ଏହି ଧମକ କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ବିଚଳିତ କରିଛି ।

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ କରିବା ପାଇଁ ପ୍ରଶାସନ ଅଂଟା ଭିଡିବା ପରେ ଏପରି ଖୋଲା ଧମକ ଦେଇଛନ୍ତି ସେବାୟତ । କଠୋର ଆଭିମୁଖ୍ୟ ଦେଖାଇ କହିଛନ୍ତି ସେମାନଙ୍କ କଥା ବିଚାର ନକଲେ ଶ୍ରୀମନ୍ଦିରର ସମସ୍ତ ଚାବି ଗଜପତିଙ୍କୁ ହସ୍ତାନ୍ତର କରିବେ । ପ୍ରଶାସନ ଓ ସେବାୟତ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିିବାରୁ ଯେକୌଣସି ସମୟରେ ମହାପ୍ରଭୁଙ୍କ ସେବାରେ ବିଭ୍ରାଟ ସୃ୍ଷ୍ଟି ହୋଇପାରେ । ଏଭଳି ଆଶଙ୍କା ପ୍ରକାଶ ପାଇଛି । ଶ୍ରୀମନ୍ଦିରର ଅରୁଣ ସ୍ତମ୍ଭରୁ ଭିତର କାଠ ଯାଏଁ, ବର୍ଷ ବର୍ଷ ଧରି ସେବାୟତ ରଖୁଥିବା ଦକ୍ଷିଣା ଥାଳି ଉଠିବ ଓ ମନ୍ଦିର ଭିତରେ ଆଉ ଦାନ ଥାଳି ବା ପାତ୍ର ରହିବନି । ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏହି ଘୋଷଣା ପରେ ଚିହଁକି ଉଠିଛନ୍ତି ସେବାୟତ ।

ସୁପ୍ରିମକୋଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଆମିକସ କ୍ୟୁରି ଆସିବା ପୂର୍ବରୁ କିଭଳି ଶ୍ରୀଜିଉଙ୍କ ସବୁ ନୀତିକାନ୍ତି ଶୃଙ୍ଖଳିତ ହେବ ତାକୁ ନେଇ ଚିନ୍ତାରେ ପଡିଛି ପ୍ରଶାସନ । ତେଣୁ ଦକ୍ଷିଣା ଥାଳି ଉଠାଇବା ପାଇଁ ନିଷ୍ପତି ନିଆଯାଇଛି । ଏପଟେ ଯଦି ସେବାୟତ ନିିଜ ଜଦ୍ରେ ଅଟଳ ରୁହନ୍ତି ତେବେ ଏକ ବଡ ଧରଣର ବିଭ୍ରାଟ ଆଶଙ୍କା ରହିଛି ।