ଖୁବଶୀଘ୍ର ୧୨-୧୭ ବର୍ଷର ପିଲାମାନଙ୍କୁ ଦିଆଯିବ କରୋନା ଟିକା, ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଦେଲା ମଞ୍ଜୁରୀ

66

କନକ ବ୍ୟୁରୋ : ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ବି ଏହାର ଭୟାବହତାକୁ ନଜରରେ ରଖି ୧୨-୧୭ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଆଣ୍ଡ ଜେନରାଲ ଅଫ ଇଣ୍ଡିଆ ଏକ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନେଇ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

କହିରଖୁ କି ଦେଶରେ ୧୮ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉପଲବ୍ଧ ହୋଇଥିବା କରୋନା ରୋଧୀ ଟିକାଭାବେ କୋଭଭାକ୍ସ ହେଉଛି ଚତୁର୍ଥ ଟିକା । ଭାରତୀୟ ଔଷଧୀ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-୧୯ ସମ୍ବଧିତ ବିଶେଷଜ୍ଞ ସମିତିର ସୁପାରିଶ ଆଧାରରେ କୋଭଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା କଥା କୁହାଯାଇଛି । ସେପଟେ କେନ୍ଦ୍ର ସରକାର ୧୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଟିକା ଦେବା ନେଇ କୌଣସି ନିଷ୍ପତ୍ତି ନେଇ ନଥିବା କଥା କୁହାଯାଇଛି ।

ଫେବୃଆରୀ ୨୧ ତାରିଖରେ ଡିସିଜିଆଇକୁ ଦିଆଯାଇଥିବା ଆବେଦନ ନେଇ ସେରମ ଇନଷ୍ଟିଚ୍ୟୁଟର ଜଣେ ଅଧିକାରୀ କହିଛନ୍ତି କି ୧୨-୧୭ ବର୍ଷ ମଧ୍ୟରେ ପାଖା ପାଖି ୨୭୦୭ ଜଣ ପିଲାଙ୍କ ଠାରେ ଏହି ଟିକା ପରୀକ୍ଷା କରାଯାଇଛି । ପରୀକ୍ଷାରୁ ଜଣାପଡିଛି କି ଏହି ଟିକା ବେସ ପ୍ରଭାବଶାଳୀ ଓ ଅଧିକ ପ୍ରତିରୋଧକ ଶକ୍ତି ଉତ୍ପନ କରୁଥିବା ଏକ ସୁରକ୍ଷିତ ଟିକା ।