ସେପ୍ଟେମ୍ବର ମାସ ପାଇଁ ଆସିଲା ଗାଇଡଲାଇନ । ବାହାଘର, ଶୁଦ୍ଧିକ୍ରିୟାରେ ୨୫୦ ଜଣଙ୍କୁ ଅନୁମତି, ବିବାହ ଶୋଭାଯାତ୍ରା ପାଇଁ ନେବାକୁ ପଡିବ ଲିଖିତ ଅନୁମତି ।

353

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଖାସକରି ବିବାହ ଓ ବ୍ରତଘର ପାଇଁ ଜାରି କରାଯାଇଥିବା କଟକଣାକୁ କୋହଳ କରିଛନ୍ତି ସରକାର । ଏଣିକି ବାହାଘରରେ ୨୫୦ ଜଣ ସାମିଲ ହୋଇପାରିବେ । ଏଥିପାଇଁ ଅନୁମତି ଦେଇଛନ୍ତି ସରକାର । ପୂର୍ବରୁ ବାହାଘରରେ ମାତ୍ର ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେଇଥିଲେ ସରକାର । କିନ୍ତୁ ସେପ୍ଟେ୍ମ୍ବର ଗାଇଡଲାଇନରେ କିଛି ମାତ୍ରାରେ କଟକଣାକୁ କୋହଳ କରାଯାଇଛି । କେବଳ ବାହାଘର ନୁହେଁ ବ୍ରତଘର ଓ ଶୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣଙ୍କୁ ସାମିଲ କରିବାକୁ ଅନୁମତି ଦେଇଛନ୍ତି ସରକାର । ସମସ୍ତ କାର୍ଯ୍ୟକ୍ରମ କୋଭିଡ ଗାଇଡଲାଇନ ଅନୁଯାୟୀ କରାଯିବ ।

ତେବେ ବାହାଘରରେ ଗାଏମୋଟ ୨୫୦ ଜଣ ହିଁ ସାମିଲ ହୋଇପାରିବେ । ଏଥିରେ ଅତିଥିଙ୍କ ସହ ଘରଲୋକ ମଧ୍ୟ ସାମିଲ ରହିବେ । ସେହିଭଳି ବିବାହ ଶୋଭାଯାତ୍ରାରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେନି । ଲାଇଟ, ସାଉଣ୍ଡ, ବରଯାତ୍ରୀଙ୍କୁ ମିଶାଇ ମାତ୍ର ୫୦ ଜଣ ସାମିଲ ହେବା ନେଇ ସରକାର ଅନୁମତି ଦେଇଛନ୍ତି । ତେବେ ଶୋଭଯାତ୍ରା ପାଇଁ ସ୍ଥାନୀୟ ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଭାବରେ ଅନୁମତି ନେବାକୁ ପଡିବ । ଏହାର ଖିଲାପ କଲେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ସେପ୍ଟେ୍ମ୍ବର ଗାଇଡଲାଇନରେ ସମସ୍ତ ଧାର୍ମିକ, ରାଜନୈତିକ ଓ ସାମାଜିତ ସମାବେଶ ଉପରେ କଟକଣା ଲଗାଇଛନ୍ତି ସରକାର ।