କରୋନା ପାଇଁ ଦ୍ୱିତୀୟ ଦିନରେ ବି ସେୟାର ବଜାରରେ ହାହାକାର: ଘଂଟାଏ ପାଇଁ କାରବାର ବନ୍ଦ; ସେନସେକ୍ସରେ ବଡ ହ୍ରାସ, ୯ ହଜାର ତଳେ ନିଫଟି

240

କନକ ବ୍ୟୁରୋ: ଭାରତୀୟ ସେୟାର ବଜାର ଉପରେ କରୋନାର ପ୍ରଭାବ । ଗୁରୁବାର ପରି ଶୁକ୍ରବାର ମଧ୍ୟ ଭାରତୀୟ ସେୟାର ବଜାରରେ ଦେଖିବାକୁ ମିଳିଛି ବଡ ମାନ୍ଦା । କରୋନା ପାଇଁ ଆଜି କାରବାର ଆରମ୍ଭରୁ ୩ ହଜାର ପଏଂଟ ହ୍ରାସ ଦେଖିବାକୁ ମିଳିଥିଲା ସେନସେକ୍ସରେ । ସେହିପରି ନିଫଟି ୯୫୦ ପଏଂଟ ହ୍ରାସ ହୋଇଛି । ଆରମ୍ଭରୁ ଏପରି ହ୍ରାସ ଦେଖିବା ପରେ ସେୟାର ବଜାରକୁ ପ୍ରାୟ ୧ ଘଂଟା ଧରି ବନ୍ଦ କରି ଦିଆଯାଇଥିଲା ।

ଆଜି ୯୫୦ ପଏଂଟ ହ୍ରାସ ପରେ ୯ ହଜାରକୁ ଖସି ଆସିଛି ନିଫଟି ସୂଚକାଙ୍କ । ସେହିପରି ବିଏସଇ ସେନସେକ୍ସରେ ୩ ହଜାର ପଏଂଟ ହ୍ରାସ ପରେ ୩୨ ହଜାରକୁ ଖସି ଆସିଛି ସୂଚକାଙ୍କ । ଦୀର୍ଘ ୧୨ ବର୍ଷ ପରେ ସେୟାର ମାର୍କେଟ ଆରମ୍ଭ ହୋଇ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏକ ଘଂଟା ପରେ ଯେତେବେଳେ ସେୟାର ବଜାର ଖୋଲିଲା ସେନସେକ୍ସ ୧୫ ଶହ ପଏଂଟ ଉପରକୁ ଉଠିଥିଲା । ମାନ୍ଦା ବସ୍ଥାରେ କିଛିଟା ସୁଧାର ଆସିବା ଦେଖିବାକୁ ମିଳିଛି । ଏହା ନିବେଶକାରୀଙ୍କୁ କିଛି ଟା ଆଶ୍ୱସ୍ତ କରିବ ନିଶ୍ଚୟ ।

ଦେଶରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ଖବର ସ୍ପଷ୍ଟ ହୋଇଛି । କର୍ଣ୍ଣାଟକ କୁଲବର୍ଗା ଅଂଚଳର ୭୬ ବର୍ଷିୟ ଜଣେ ବୃଦ୍ଧଙ୍କ ମୃତ୍ୟୁ କରୋନା ସଂକ୍ରମଣରେ ହୋଇଥିବା ଜଣାପଡିଛି । ତାଙ୍କର ସାମ୍ପଲ ପରୀକ୍ଷା ପାଇଁ ଯାଇଥିଲା । ଏହା ଆସିବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗର କମିଶନର ମୃତ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ମିଳିଥିବା ସ୍ପଷ୍ଟ କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ୨୯ ଜାନୁଆରୀ ୨୦୨୦ରୁ ୨୯ ଫେବ୍ରୁଆରୀ ୨୦୨୦ ଯାଏଁ ସାଉଦି ଆରବ ଗସ୍ତରେ ଥିଲେ । ଏଠାରୁ ଆସିବା ପରେ ସନ୍ଦେହ ଜନକ ଅବସ୍ଥାରେ ସ୍ୱତନ୍ତ୍ର ୱାର୍ଡରେ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ଏହି ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ଏହି ଘଟଣାକୁ ପୁଷ୍ଟି କରିଛି ।