ସତ କହିବାରୁ ମିଳିଲା କି ଦଣ୍ଡ? ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ କାର୍ଯ୍ୟାନୁଷ୍ଠାନ । ଯାଜପୁର ସିଡିଏମଓଙ୍କୁ କଳାହାଣ୍ଡିକୁ ବଦଳି ।

188

କନକ ବ୍ୟୁରୋ: ଯାଜପୁରରୁ ବଦଳି ହୋଇଥିବା ସିଡିଏମଓ ବିରଞ୍ଚି ନାରାୟଣ ବାରିକ, ଦୁର୍ନୀତି ବିରୋଧରେ ମୁହଁ ଖୋଲବାରୁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଛି । ରାତାରାତି ତାଙ୍କୁ ବଦଳି କରିଦିଆଯାଇଛି କଳାହାଣ୍ଡି । ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବ୍ୟାପକ ଅନିୟମିତତା ହେଉଥିଲା । ଏହାକୁ ସିଡିଏମଓ ବିରଞ୍ଚି ନାରାୟଣ ବାରିକ ବିରୋଧ କରିଥିଲେ ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଟେଣ୍ଡରକୁ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟିଂ ଜରିଆରେ କରିବାର ନିୟମ ରହିଛି ।

  • ଜିଲ୍ଲାର ବିଭିନ୍ନ ଡାକ୍ତରଖାନାର ସଫେଇ କାମରେ ବ୍ୟାପକ ଅର୍ଥ ହେରଫେର ହେଉଥିଲା
  • ଅନଲାଇନ ବଦଳରେ ଅଫଲାଇନ ଟେଣ୍ଡର ଜରିଆରେ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଠିକା ଦିଆଯାଇଥିଲା
  • ହାଉସ କିପିଂ ବାବଦରେ ମାସିକ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା
  • ଅନ୍ୟ ଜିଲ୍ଲା ତୁଳନାରେ ଏଠାରେ ଅଧିକ ଖର୍ଚ୍ଚ ହେଉଥିବା ସିଡିଏମଓ ଲକ୍ଷ୍ୟ କରିବା ପରେ ଏନେଇ ଖୋଳତାଡ ଆରମ୍ଭ କରିଥିଲେ
  • ଆଉ ଏଥିପାଇଁ ତାଙ୍କୁ କଳାହାଣ୍ଡି ବଦଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଅନିୟମିତତା ସମ୍ପର୍କରେ ଅବଗତ ହେବା ପରେ ସ୍ୱାସ୍ଥ୍ୟ କମିଟି ତଥା ଜିଲ୍ଲାପାଳ ଅଫଲାଇନ ଟେଣ୍ଡର ବନ୍ଦ କରି ଅନଲାଇନ ଟେଣ୍ଡର କରିବାକୁ ନିଷ୍ପତି ନେଇଛନ୍ତି । କିନ୍ତୁ ଏଭଳି ଘଟଣା ବଦଳି ହୋଇଥିବା ସିଡିଏମଓକୁ ଗଭୀର ମାନସିକ ଆଘାତ ଦେଇଛି । ଘଟଣା ପରେ ମାନସିକ ଚାପରେ ଥିବା ସିଡିଏମଓ କଳାହାଣ୍ଡି ନ ଯାଇ ସ୍ୱେଚ୍ଛାକୃତ ଅବସର ନେବାକୁ ଆବେଦନ କରିବେ ବୋଲି କହିଛନ୍ତି । ତେବେ ଅନିୟମିତତାକୁ ବିରୋଧ କରିବାରୁ ଜିଲ୍ଲାର ଜଣେ ଦାୟିତ୍ୱବାନ ଅଧିକାରୀଙ୍କ ବଦଳି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।