ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ : ୬୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଟିଭି ଡିବେଟରେ ରାଜନୈତିକ ଭାଷ୍ୟକାର ଭାବେ ରହିଛି ପରିଚୟ

326

କନକ ବ୍ରୁରୋ : ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବରକାଗଜ ‘ସମ୍ବାଦ’ ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ପରଲୋକ । ୬୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମଧ୍ୟରାତ୍ରିରେ ତାଙ୍କର ଦେହାନ୍ତ ହୋଇଯାଇଛି । ସଂକ୍ରମଣଜନିତ ଅସୁସ୍ଥତା ଯୋଗୁଁ ଗତ ୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଂଟିଲେଟରରେ ରେଖାଯାଇ ଚିକିତ୍ସା କରାଯାଉଥିଲା । ତେବ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଭାଇ, ଭଉଣୀ ଓ ପରିବାର ଲୋକେ ଉପସ୍ଥିତ ଥିଲେ ।

ବରଗଡ ଜିଲ୍ଲା ଗୋଡଭଗା ନିକଟ ମହଖଣ୍ଡରେ ଜନ୍ମଲାଭ କରିଥିବା ରଣଜିତ ଗୁରୁ , ୧୯୮୪ରେ ସମ୍ବାଦରେ ଯୋଗ ଦେଇଥିଲେ । ୩୫ ବର୍ଷର କ୍ୟାରିୟର ମଧ୍ୟରେ ସେ ଜିଲ୍ଲା ପ୍ରତିନିଧିଠାରୁ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଛନ୍ତି । କଲିକତାରୁ ପ୍ରକାଶ ପାଉଥିବା ଇଂରାଜୀ ଖବର କାଗଜ ଆନନ୍ଦ ବଜାର ପତ୍ରିକା ଏବଂ ଏସିଆନ୍ ଏଜ୍ ପାଇଁ ମଧ୍ୟ ଲେଖିଛନ୍ତି ରଣଜିତ୍ ଗୁରୁ । ତାଙ୍କ ଦ୍ୱାରା ଲିଖିତ ସ୍ତମ୍ଭ- ଅପ୍ରସଙ୍ଗ , ବହୁ ପାଠକଙ୍କୁ ଆକର୍ଷିତ କରିଥିଲା । ପରେ ଏହା ପୁସ୍ତକ ଆକାରରେ ଇଂରାଜୀରେ ପ୍ରକାଶିତ ହୋଇଥିଲା । ତାଙ୍କଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ- ଓଡିଶା: ଏ ଡିକେଡ୍ ଅଫ୍ ମିସଡ୍ ଅପରଚ୍ୟୁନିଟିଜ୍ , ୨୦୧୧ରେ ଲୋକାର୍ପିତ ହୋଇଥିଲା ।

ଏଥିସହ ରାଜ୍ୟର ସମସ୍ତ ଟେଲିଭିଜନ ଚ୍ୟାନେଲରେ ଜଣେ ରାଜନୈତିକ ଭାଷ୍ୟକାର ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା । ରଣଜିତ୍ ଗୁରୁଙ୍କ ଦେହାନ୍ତ ଖବର ଓଡିଶାର ସାମ୍ବାଦିକ ମହଲକୁ ସ୍ତବ୍ଧ କରିଦେଇଛି । ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବହୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଗୁରୁଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।