ସେଲଫି ହେଲା କାଳ : ସେଲଫି ନେବା ବେଳେ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍

40

 କନକ ବ୍ୟୁରୋ :  ଦିନକୁ ଦିନ ସେଲଫି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ଚାରିଆଡେ ପ୍ରଚାରିତ ହେଲେ ବି କମୁନାହିଁ ଏହି ମୃତ୍ୟୁ ସଂଖ୍ୟା । ଜୀବନକୁ ବାଜି ଲଗେଇ ଦୁଃସାହସିକ ସେଲଫି ନେବାରେ ମସଗୁଲ ରହୁଛନ୍ତି ଯୁବପିଢି । ବିଶ୍ୱରେ ଏହି ସେଲଫି ଦୁର୍ଘଟଣା ମୁଣ୍ଡ ବ୍ୟଥାର କାରଣ ସାଜିଛି । ସେଲଫି ଉଠାଇ ଏହାକୁ ସୋସିଆଲ ମିଡିଆରେ ଛାଡିବା ଏକ ସଉକ ପାଲଟିଯାଇଛି । ସେଲଫି ନେବାର ନିଶାରେ ବହୁ ଜୀବନ ହାନି ଘଟିଥିବା ବେଳେ ଲୋକେ ଏବେବି ସଚେତନ ହେଉନାହାନ୍ତି ।

ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ମହଙ୍ଗା ପଡିଛି ସେଲଫି ନିଶା । ଚଳନ୍ତା ଟ୍ରେନ ସାମ୍ନାରେ ସେଲଫି ଭିଡିଓ ନେବାବେଳେ ଗୁରୁତର ଆହତ ହୋଇଛନ୍ତି ଜଣେ ଯୁବକ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହାଇଦ୍ରାବାଦାର ଭାରତ ନଗରରେ ଏହି ଘଟଣା ଘଟିଛି । ଭିଡିଓରେ ଦେଖିବାକୁ ମିଳିଛି ,ସ୍ଥାନୀୟ ଶିବ ନାମକ ଜଣେ ଯୁବକ ରେଳଲାଇନ ଉପରେ ଟ୍ରେନ ଆସୁଥିବା ସମୟରେ ସେଲଫି ଭିଡିଓ ନେଉଛନ୍ତି । ପଛରୁ କେହି ଜଣେ ଯୁବକଙ୍କୁ ଏଥିପାଇଁ ବାରଣ ମଧ୍ୟ କରୁଛନ୍ତି । କିନ୍ତୁ ଯୁବକ ଜଣକ କିଛି ଖାତିର କରୁନାହାନ୍ତି । କିଛି ସମୟ ମଧ୍ୟରେ ଟ୍ରେନଟି ପାଖକୁ ଚାଲିଆସିଛି ଫଳରେ ଯୁବକଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଛି । ଏବଂ ଯୁବକ ଜଣକ ସେହିଠାରେ ହିଁ ପଡିଯାଇଛନ୍ତି । ତାଙ୍କୁ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡିଛି । ଯୁବକ ଜଣକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା ଚାଲିଛି ।