ବୀରୁ ବନିଲେ ବାବା । ହାତରେ ରୁଦ୍ରାକ୍ଷ, ଆଖିରେ କଳା ଚଷମା ପିନ୍ଧି ଦେଉଛନ୍ତି ଆର୍ଶୀବାଦ । ଜାଣନ୍ତୁ କାହାକୁ?

74

କେବେ ହାତରେ ଥିଲା କ୍ରିକେଟ ବ୍ୟାଟ ଆଉ ଏବେ ହାତରେ ରୁଦ୍ରାକ୍ଷ ମାଳା । ଦେହରେ ବାବାଙ୍କ ବସ୍ତ୍ର । ଆଖିରେ କଳା ଚଷମା । କ୍ରିକେଟରୁ ଅବସର ନେବା ପରେ ଏବେ ବିରୁ ପାଜିଙ୍କୁ ବାବା ରୂପରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମଡିଆର ଗୁରୁ କୁହାଯାଉଥିବା ବିରେନ୍ଦ୍ର ସେହୱାଗ ବାବା ଲୁକରେ ନିଜର ଏକ ଫଟୋ ଟ୍ୱିଟର ଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଆଉ ବୀରୁଙ୍କ ଏହି ବେଶ ଭୂଷା ଦେଖି ପ୍ରଂଶସକ ମଧ୍ୟ ତାଜୁବ । କଣ ସତରେ ବୀରୁ ସାଂସରିକ ମୋହମାୟା ତ୍ୟାଗ କରି ବାବା ହୋଇଗଲେ । ଯଦି ଆପଣଙ୍କ ମନରେ ସେମିତି କିଛି ଭାବନା ଆସୁଥାଏ ତେବେ ଏହାକୁ କାଢି ଦିଅନ୍ତୁ କାରଣ ବୀରୁଙ୍କର ଏହି ନୂଆ ଲୁକ୍ କେବଳ ଟିମ୍ ଇଣ୍ଡିଆ ପାଇଁ । ଟିମ ଇଣ୍ଡିଆକୁ ସଂକଟରୁ ଉଦ୍ଧାର କରିବା ପାଇଁ ବାବା ସାଜିଛନ୍ତି ବୀରୁ ।


ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଦ୍ୱିତୀୟ ପାଳିରେ ୧୯୪ ରନର ବିଜୟ ଲକ୍ଷ୍ୟ ପଡିଆକୁ ଓହ୍ଲାଇଥିବା ବିରାଟ ବାହିନୀ ତୃତୀୟ ଦିନର ଖେଳ ଶେଷ ବେଳକୁ ୫ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରିଛି । ହାତରେ ମାତ୍ର ୫ଟି ୱିକେଟ ଥିବା ବେଳେ ଜିତିବାକୁ ଆବଶ୍ୟକ ୮୪ ରନ । ଆଉ ଏଭଳି ସମୟରେ କ୍ରିଜରେ ଅଛନ୍ତି ବିଶ୍ୱାସଯୋଗ୍ୟ ବିରାଟ ଓ ନିଦହାସ ଟ୍ରଫି ଫାଇନାଲର ହିରୋ ଦିନେଶ କାର୍ତ୍ତିକ । ଯାହାଙ୍କ ହାତରେ ଭାରତର ବିଜୟ ଡୋରି ରହିଛି । କୋହଲି ୪୩ ରନ କରି ଦଳକୁ ବିଜୟର ନିକଟତର କରୁଥିବା ବେଳେ ଏଥିରେ ତାଙ୍କୁ ଭରପୂର ସହଯୋଗ କରୁଛନ୍ତି ଦିନେଶ । ପ୍ରଥମ ଇନିଂସରେ କ୍ୟାପଟେନ କୋହଲି ୧୪୯ ରନ କରି ଟିମ୍ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଥିବା ବେଳେ ଆଜି ମଧ୍ୟ ତାଙ୍କ ଠାରୁ ମ୍ୟାଚ ବିଜୟୀ ଇନିଂସର ଆଶା ରଖିଛି ଦଳ ।

ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆ ବିଜୟର ନିକଟତର ହେଉଥିବା ଦେଖି ପୂର୍ବ ଭାରତୀୟ ଓପନର ତଥା ନଜଫଗଡର ନବାବ ବିରେନ୍ଦ୍ର ସେହୱାଗ ନିଜ ଅନ୍ଦାଜରେ ସୋସିଆଲ ମିଡିଆରେ ବିରାଟ ବିଗ୍ରେଡଙ୍କୁ ଶୁଭକାମନା ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ଟ୍ୱିଟରରେ ସେହୱାଗଙ୍କୁ ନୂଆ ନୂଆ ଅନ୍ଦାଜରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରିବା ଠାରୁ ଆରମ୍ଭ କରି ହସେଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେହୱାଗ ଦେଖାଉଥିଲେ ନିଜର ଜଲୱା ।

ଶୁକ୍ରବାର ସନ୍ଧ୍ୟାରେ ବିରେନ୍ଦ୍ର ସେହୱାଗ ନିଜର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେହୱାଗଙ୍କୁ ଧାର୍ମିକ ବାବା ବେଶରେ ଦେଖିବାକୁ ମିଳିଥିଲା । ହାତରେ ଧରିଥିଲେ ରୁଦ୍ରାକ୍ଷ ମାଳ ଓ ପିନ୍ଧିଥିଲେ ଓଁ ପ୍ରିଣ୍ଟ ଥିବା କୁର୍ତ୍ତା । ଆର୍ଶିବାଦ ଦେବା ମୁଦ୍ରାରେ ବସିଥିଲେ ସେହୱାଗ । ଆଉ ଯାହା ତାଙ୍କୁ ମଧ୍ୟ ବେଶ ମାନୁଥିଲା । ଇନଷ୍ଟାଗ୍ରାମରେ ଏହି ଫଟୋ ଅପଲୋଡ କରିବା ସହ ବିରାଟ ଲେଖିଥିଲେ, ‘ଅର୍ଜି ହମାରୀ, ମର୍ଜି ଆପକି । ମୋ ଆର୍ଶିବାଦ ସର୍ବଦା ଟିମ୍ ଇଣ୍ଡିଆ ସହିତ ରହିଛି । ଏପରିକି ଶେଷରେ ଜୟ ଭୋଳାଭାବା, ଜୟ ବଜରଙ୍ଗବଲୀ ଲେଖିବାକୁ ଭୁଲିନଥିଲେ ସେହୱାଗ । ତେବେ ଭାଇରାଲ ହୋଇଥିବା ଏହି ଫଟୋରେ ‘ଭୁଲ ଭୁଲୟାଁ’ରେ ଫିଲ୍ମର ଅକ୍ଷୟ କୁମାରଙ୍କ ଭଳି ନଜର ଆସୁଛନ୍ତି ସେହୱାଗ । ତେବେ ସେହୱାଗଙ୍କ ଆର୍ଶିବାଦ ବିରାଟ ବ୍ରିଗେଡ ପାଇଁ କେତେ କାମ ଦେବ ତାହା ଆଜିର ମ୍ୟାଚ ପରେ ସ୍ପଷ୍ଟ ହୋଇଯିବ ।