ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଅଜବ ପରିସ୍ଥିତି । ଏବେବି ପରାଜୟ ମାନିବାକୁ ନାରାଜ ଟ୍ରମ୍ପ, ଟ୍ରମ୍ପଙ୍କ ଅମାନିଆପଣକୁ ଲଜ୍ଜାଜନକ କହିଲେ ବାଇଡେନ୍ ।

543

କନକ ବ୍ୟୁରୋ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଜବ ପରିସ୍ଥିତି । ପରାଜୟ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ସେପଟେ ମାଇକ ପମ୍ପିଓଙ୍କ ନୂଆ ମନ୍ତବ୍ୟ ବିବାଦକୁ ବଢ଼ାଇ ଦେଇଛି । ଆମେରିକାବାସୀ ଦ୍ୱିତୀୟଥର ଟ୍ରମ୍ପ ପ୍ରଶାସନ ପାଇଁ ପ୍ରସ୍ତୁତ ହେଉଥିବା ପମ୍ପିଓ କହିଛନ୍ତି । ତେବେ ଟ୍ରମ୍ପଙ୍କ ଅମାନିଆପଣକୁ ଲଜ୍ଜାଜନକ କହିଛନ୍ତି ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ।

ପରାଜୟ ମାନିବାକୁ ନାରାଜ ଟ୍ରମ୍ପ । କ୍ଷମତା ହସ୍ତାନ୍ତର ନେଇ ବିବାଦ ଜାରି । ଟ୍ରମ୍ପଙ୍କ ଅମାନିଆ ପଣକୁ ଲଜ୍ଜାଜନକ କହିଲେ ଜୋ-ବାଇଡେନ୍ । ଆମେରିକା ନିର୍ବାଚନ ଇତିହାସରେ ପ୍ରଥମ ଘଟଣା । ପରାଜୟକୁ ମାନିବାକୁ ନାରାଜ ପରାଜିତ ପ୍ରାର୍ଥୀ । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରେ ଆମେରିକାରେ ଏପରି ଏକ ଅଜବ ପରିସ୍ଥିତି । ନିର୍ବାଚନ ପରାଜୟକୁ ଏଯାଏଁ ସ୍ୱୀକାର କରିନାହାନ୍ତି ରାଷ୍ଟ୍ରପତି ଟ୍ରମ୍ପ । ତାଙ୍କର ଏହି ଅମାନିଆ ପଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଟ୍ରମ୍ପ ପ୍ରଶାସନର ବୈଦେଶିକ ସଚିବ ମାଇକ ପମ୍ପିଓଙ୍କ ନୂଆ ମନ୍ତବ୍ୟ ବିବାଦକୁ ଆହୁରି ଘନୀଭୂତ କରିଛି । ପମ୍ପିଓ କହିଛନ୍ତି ଯେ, ଆମେରିକା ଦ୍ୱିତୀୟ ଥର ଟ୍ରମ୍ପ ପ୍ରଶାସନ ପାଇଁ ପ୍ରସ୍ତୁତ ହେଉଛି । ଆଉ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜୋ ବାଇଡେନ୍ ବିଜୟୀ ଘୋଷଣା ହେବା ପରେ ଟ୍ରମ୍ପ ଏହାକୁ ଗ୍ରହଣ କରିନାହାନ୍ତି । ଏହାସହ କ୍ଷମତା ହସ୍ତାନ୍ତର ପାଇଁ ମଧ୍ୟ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ପମ୍ପିଓଙ୍କ ଏହି ମନ୍ତବ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ସେପଟେ ଟ୍ରମ୍ପଙ୍କ ଏପରି ମନୋଭାବକୁ ଲଜ୍ଜାଜନକ କହିଛନ୍ତି ଜୋ ବାଇଡେନ୍ ।

ନିର୍ବାଚନରେ ଭୋଟ ଜାଲିଆତି ଭଳି ଆଣିଥିବା ଅଭିଯୋଗ ଉପରେ ଏବେ ବି ଅଟଳ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆଉ ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଖୋଲି ସମର୍ଥନ କରିଛନ୍ତି ସିନେଟ ମେଜରିଟି ଲିଡର ମିଚ ମେକକନଲ ଓ ରିପବ୍ଲିକ ଦଳର ଅନ୍ୟ ନେତା । ଆମେରିକାର ଆଟର୍ଣ୍ଣି ଜେନେରାଲ ମଧ୍ୟ ଭୋଟ ସାରଣୀ ବା ଭୋଟିଂ ଟେବୁଲେସନରେ ଅନିୟମିତତା ଅଭିଯୋଗର ମାମଲା ପରିଚାଳନା ପାଇଁ ସରକାରୀ ଓକିଲଙ୍କୁ ଅନୁମତି ଦେଇଛନ୍ତି । ସେପଟେ ରିପବ୍ଲିକାନ ପାର୍ଟି ହାରିଥିବା ମିଚିଗାନ, ନେବେଡା, ଜର୍ଜିଆ ଭଳି ରାଜ୍ୟରେ ମିଛ ବାଲଟ ଭୋଟ ଓ ଭୋଟ ଗଣତିରେ ହେରଫେର ହୋଇଥିବା ଅଭିଯୋଗ ଆଣି କୋର୍ଟକୁ ଯାଇଛନ୍ତି ଟ୍ରମ୍ପ ଓ ତାଙ୍କ ଟିମ୍ ।

ତେବେ ନିର୍ବାଚନ ଅଧିକାରୀମାନେ କୌଣସି ପ୍ରକାର ଅନିୟମିତତା ହୋଇଥିବା କଥାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ଏହାସହ ସେମାନେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ନେଇ ବାଇଡେନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ।

ଗଣତନ୍ତ୍ରର ବଡ ପକ୍ଷକାର ଭାବେ ଜଣାଶୁଣା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରେ ଅଶ୍ୱସ୍ତିକର ପରିବେଶ ସୃଷ୍ଟି ହୋଇଛି । ଜୋ-ବାଇଡେନଙ୍କ ଠାରୁ ପରାଜୟକୁ ଆଦୌ ଗ୍ରହଣ କରୁନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଆମେରିକାର ଏହି ହାଇଭୋଲଟେଜ ଡ୍ରାମା ଉପରେ ରହିଛି ସମସ୍ତଙ୍କ ନଜର ।