ସମୁଦ୍ର ବାଲିରୁ ମିଳୁଛି ସୁନା । ସଂଗ୍ରହ କରିବାକୁ ବେଳାଭୂମିରେ ଭିଡ ଜମାଉଛନ୍ତି ଶହ ଶହ ଲୋକ

758

କନକ ବ୍ୟୁରୋ : ସମୁଦ୍ର ବାଲିରେ ଚମକୁଛି ସୁନା କଣିକା । ଏକଥା ଆପଣ ମାନଙ୍କୁ ଅବିଶ୍ୱାସ ଲାଗିପାରେ । ହେଲେ କଥାଟି ସତ । ଏହା ପୁଣି କେଉଁ ବିଦେଶର ବେଳାଭୂମି ନୁହେଁ । ଖୋଦ ଭାରତର ଏକ ବେଳାଭୂମିରେ ମିଳୁଛି ସୁନା । ଆଉ ତାହାକୁ ଗୋଟାଇବାକୁ ବେଳାଭୂମିରେ ଭିଡ ଲଗାଇଛନ୍ତି ଶହ ଶହ ମହିଳା ଓ ପୁରୁଷ ।

ଗତ ଦୁଇଦିନ ହେବ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର କାକିନଡା ବେଳାଭୂମିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରବଳ ବର୍ଷା ସତ୍ତେ୍ୱ ଶହ ଶହ ମହିଳା, ପିଲା ଓ ମତ୍ସ୍ୟଜୀବୀ ମାନେ ସୁନା ସଂଗ୍ରହ କରିବାକୁ ଏହି ବେଳାଭୂମିକୁ ଧାଇଁଛନ୍ତି । ସୂଚନା ମୁତାବକ ୟୁ କୋତାପଲ୍ଲୀ ବ୍ଲକ ଉପ୍ପଡା ଏବଂ ସୁରଡାପେଟା ଗାଁରୁ ଆସିଥିବା ଅଧିକାଂଶ ଲୋକ ପ୍ରବଳ ବର୍ଷା ଓ କୋହଲା ପାଗକୁ ଖାତର ନକରି ସୁନାରେଣୁ ଓ ସୁନା ଟୁକୁରା ପାଇବା ଆଶାରେ ବେଳାଭୂମିର ବାଲିକୁ ଘଂଟାଚକଟା କରୁଛନ୍ତି । ସାମୁଦ୍ରିକ ଝଡ ‘ନିଭାର’ ଜନିତ ସମୁଦ୍ରର ଉତ୍ତାଳ ଢେଉରେ ସୁନା ସମୁଦ୍ର ତଟକୁ ଚାଲିଆସିଥିବ ବୋଲି ସେଠିକାର ଲୋକଙ୍କ ମନରେ ଧାରଣା ରହିଛି ।

ଏନେଇ ୟୁ କୋତାପଲ୍ଲୀ ପୋଲିସ ସବ୍- ଇନସପେକ୍ଟର ବି, ଲୋଭା ରାଜୁ କହିଛନ୍ତି କି ଶୁକ୍ରବାର ଦିନ କିଛି ସତ୍ସ୍ୟଜୀବୀ ସମୁଦ୍ରକୁଳରେ ମାଛ ଧରୁଥିବା ବେଳେ କିଛି ସୁନା ଟୁକୁରା ପାଇଥିଲେ । ଏହି ଖବର ବ୍ୟାପିଯିବା ପରେ ସୁନା ଟୁକୁରା ଓ ରେଣୁ ପାଇବା ଆଶାରେ ଗ୍ରାମବାସୀ ମାନେ ସମୁଦ୍ର କୁଳରେ ଭିଡ ଜମାଉଛନ୍ତି ।