ସୁରକ୍ଷା ଦୁର୍ବଳ ନା ଷଡଯନ୍ତ୍ର, ଅଧରାତିରେ ମମତାଙ୍କ ବାସଭବନରୁ ଗିରଫ ହେଲେ ଅଜଣା ବ୍ୟକ୍ତି

369

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଳୀଘାଟ ବାସଭବନରୁ ଗତ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ସୁରକ୍ଷା କବଚ ଭେଦ କରି ବ୍ୟକ୍ତିଜଣଙ୍କ କବାଟ ବନ୍ଧ ଫାଙ୍କରେ ମମତାଙ୍କ ବାସଭବନରେ ପ୍ରବେଶ କରିଥିଲେ । ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ ବ୍ୟକ୍ତି ଜଣଙ୍କ ସାରା ରାତି ମମତାଙ୍କ ବାସଭବନ ଭିତରେ ରହିଥିଲେ । ଏକଥା ଜାଣିବା ପରେ ସେହି ରାତିରେ ପୋଲିସ କର୍ମୀ ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାର୍ନାର୍ଜୀଙ୍କ ବାସଭବନରେ ଅଜଣା ବ୍ୟକ୍ତି ଅନୁପ୍ରବେଶ କରିଥିବା ନେଇ ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ସେଠାରେ ପହଂଚିଥିଲେ । ଅଧିକାରୀଙ୍କ କହିବା କଥା କି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଏବେ ଯାଂଚ କରାଯାଉଛି ।

ପୋଲିସ ଅଧିକାରୀମାନେ ଯାଂଚ ବେଳେ ଏହି କଥାକୁ ପ୍ରାଥମିକତା ଦେଉଛନ୍ତି କି ଜେଡ ବର୍ଗର ସୁରକ୍ଷା ଭେଦ କରି କିଭଳି ଭାବେ ଏହି ଅଜଣା ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କଲେ । ଏହାସହ ବ୍ୟକ୍ତି ଜଣଙ୍କ ଅପରାଧୀ, ଚୋର କିମ୍ବା ମାନସିକ ବିକୃତ ଶ୍ରେଣୀର ବୋଲି କିଛି ସ୍ପଷ୍ଟ ହୋଇନାହିଁ । ଏହାସହ ପୋଲିସ ଅନ୍ୟକିଛି ଦୃଷ୍ଟିକୋଣ ଆଧାରରେ ଏହାର ଯାଂଚ ଆରମ୍ଭ କରିଛି ।
କହିରଖୁ କି ଗତମାସ ବି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ଘଟଣାରେ ବ୍ୟବସାୟୀ ଅଶୋକ ଶାହାଙ୍କୁ କିଛିଲୋକ ଛୁରୀମାରି ହତ୍ୟା କରିଥିଲେ ଓ ତାଙ୍କ ପତ୍ନୀ ରଶ୍ମୀତା ଶାହାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ହେଲେ ସବୁଠାରୁ ବଡକଥା କି ଏହି ୨ ଟି ହତ୍ୟାକାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଘଟିଥିଲେ ବି ସେତେବେଳେ ସେଠିକାର ସିସିଟିଭି ଖରାପ ଥିଲା ।