ଆଫଗାନିସ୍ତାନର ସିକ୍ରେଟ୍ ସ୍କୁଲ । ତାଲିବାନୀଙ୍କ ଭୟରେ ସହରର ଅଜଣା ସ୍ଥାନରେ ଚାଲିଛି ପାଠପଢା 

173

କନକ ବ୍ୟୁରୋ : ତାଲିବାନ ଶାସନକୁ ୧ବର୍ଷ ପୁରିଲାଣି । ଆତଙ୍କର ୧ବର୍ଷରେ ଏକପ୍ରକାର ପେସି ହୋଇଯାଇଛନ୍ତି ଆଫଗାନିସ୍ତାନବାସୀ । ଉଗ୍ର ମୌଳବାଦୀମାନଙ୍କ ଶାସନ ମାନବ ଅଧିକାରର ସବୁ ସୀମା ଟପିଯାଇଛି । ମହିଳାମାନଙ୍କ ଉପରେ ଅତ୍ୟାଚାର ବଢିଛି, ସ୍କୁଲ ବନ୍ଦ ହୋଇଯାଇଛି ଓ ଛୋଟ କିଶୋରମାନଙ୍କୁ ଜିହାଦି ସଜାଇଛି । ଆଫଗାନିସ୍ତାନବାସୀଙ୍କ ଜୀବନରେ ଆସିଥିବା ଏହି ନିଷ୍ଠୁର ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଛୋଟ ଛୋଟ କିଶୋରୀମାନେ । ଦିନେ ଡାକ୍ତର, ଇଂଜିନିୟର ଏବଂ ପାଇଲଟ୍ ହେବାର ସ୍ୱପ୍ନ ଦେଖିଥିବା ଝିଅମାନେ ପୁଣି ଦମ୍ଭ ଧରି ଆଗକୁ ଆସିଛନ୍ତି ପାଠ ପଢିବାକୁ ।

ଆଫଗାନର ମୌଳବାଦୀମାନେ ଏକପ୍ରକାର ମହିଳାମାନଙ୍କର ପାଠ ପଢା ଉପରେ ରୋକ ଲଗାଇଛନ୍ତି । ସ୍କୁଲ କଲେଜ୍ ବନ୍ଦ ପଡିଛି । ଏବେ ଛୋଟ ଛୋଟ ଝିଅମାନଙ୍କର ଉତ୍ସାହକୁ ଦେଖି ଆଫଗାନିସ୍ତାନରେ ଆଗକୁ ଆସିଛନ୍ତି, କିଛି ସଂସ୍ଥା । ଯେଉଁମାନେ ଚଲାଉଛନ୍ତି ସିକ୍ରେଟ୍ ସ୍କୁଲ । ସପ୍ତାହରେ କିଛି ଘଣ୍ଟା ଚାଲୁଥିବା ଏହି ସ୍କୁଲକୁ ଯାଉଛନ୍ତି କୀଶୋରୀମାନେ । ପିଲାମାନଙ୍କ ଆଗ୍ରହକୁ ଦେଖି ଅଭିଭାବକମାନେ ମଧ୍ୟ ସହଯୋଗ କରୁଛନ୍ତି । ସ୍କୁଲ ଆଗରେ କଡା ପ୍ରହରା ରହୁଛି । ତେଣୁ ଏପରି ସ୍କୁଲ ସହରର ଅଜଣା ସ୍ଥାନରେ ଛୋଟ ଛୋଟ କୋଠରୀ ମଧ୍ୟରେ ଚାଲିଛି ।

ଅନ୍ୟପଟେ ତାଲିବାନୀ କହିଛନ୍ତି, ଆମେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ । ଆଗକୁ ଡ୍ରେସକୋଡ୍ ପରିବର୍ତ୍ତନ କରିବା ସହିତ ଝିଅମାନଙ୍କୁ ଶିକ୍ଷାଦାନ ଉପରେ ନୂଆ ନିୟମ ଆସିବ, ସେହି ନିୟମ ଅନୁସାରେ ମହିଳାମାନେ ଶିକ୍ଷା ଗ୍ରହଣ କରିପାରିବେ

ଆଫଗାନିସ୍ତାନରେ ପାଠ ପଢିବା ପାଇଁ ସଂଘର୍ଷ କରୁଛନ୍ତି ମହିଳା । ତାଲିବାନ ଶାସନ ଆରମ୍ଭ ହେଲା ଦିନଠୁ ମହିଳାଙ୍କ ପାଇଁ ନର୍କ ପାଲଟିଯାଇଛି ଆଫଗାନିସ୍ତାନ ।