କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମାର୍ଚ୍ଚ ପହିଲାରୁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ । ଟଙ୍କା ଦେଇ ଘରୋଇ କେନ୍ଦ୍ରରେ ନେଇ ହେବ କୋଭିଡ୍ ଟିକା ।

207

କନକ ବ୍ୟୁରୋ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଏବଂ କରୋନାର ଦ୍ୱିତୀୟ ଲହରି ଆଶଙ୍କା ଭିତରେ କେନ୍ଦ୍ର ସରକାର ଟିକାକରଣ ନେଇ ଏଭଳି ଏକ ଘୋଷଣା କରିଛନ୍ତି, ଯାହା ଭୂତାଣୁ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିବ । ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଟିକା । ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଯୋଗାଇ ଦେବେ ସରକାର । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାର ଠିକ୍ ପୂର୍ବରୁ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୧୦ ହଜାର ସରକାରୀ ଟିକାକରଣ କେନ୍ଦ୍ର ଏବଂ ୨୦ ହଜାର ଘରୋଇ ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯିବ । ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ଟିକା ଦିଆଯିବ । କିନ୍ତୁ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ହେଲେ ପଇସା ଦେବାକୁ ପଡ଼ିବ । କେତେ ଟିକାର ଦାମ କେତେ ହେବ ତାହା ନିର୍ଦ୍ଧାରଣ ହୋଇନାହିଁ । ଖୁବ୍ ଶୀଘ୍ର ଟିକାର ଦାମ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଧାରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହାରି ଭିତରେ ଟିକାର ମୂଲ୍ୟକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶ ରଣଦୀପ ଗୁଲେରିଆ କହିଛନ୍ତି-କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବେଶି ମହଙ୍ଗା ହେବନାହିଁ । ଏହି ଟିକାକୁ ସମସ୍ତେ ନେଇପାରିବେ । ଘରୋଇ କେନ୍ଦ୍ରରେ ଟିକାକରଣ ହେଲେ, ଲୋକମାନେ ନିଜ ସୁବିଧା ଅନୁସାରେ ଟିକା ନେଇପାରିବେ ବୋଲି ରଣଦୀପ ଗୁଲେରିଆ କହିଛନ୍ତି । ଏପଟେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି…

– ରବିବାର ବ୍ୟତୀତ ସପ୍ତାହର ୫ଦିନ ଟିକାକରଣ ଚାଲିବ
– ଟିକାରକଣ ବିକଳ୍ପ ଟିକାଦାତା ଓ ଯାଂଚକାରୀମାନଙ୍କୁ ଚିହ୍ନଟ କରାଯିବ
– ବ୍ଲକ୍ ଓ ପୌରାଂଚଳରେ ୬ରୁ ୭ଟି ଭ୍ୟାକସିନେସନ୍ ଟିମ୍ ଗଠନ କରାଯିବ
– ଏଏନ୍ଏମ୍ କର୍ମୀମାନେ ନିୟମିତ ସ୍ୱାସ୍ଥ୍ୟ ସେବାରେ ରହିବେ, ସେମାନେ ଟିକାକରଣରେ ସଂପୃକ୍ତ ରହିବେ ନାହିଁ
– ଟିକାକରଣ ପାଇଁ ବ୍ଲକସ୍ତରରେ ମାଇକ୍ରୋପ୍ଲାନ ପ୍ରସ୍ତୁତ ହେବ
– ଟିକାକରଣର ତଥ୍ୟ ପ୍ରସ୍ତୁତି ପାଇଁ ପ୍ରତି କେନ୍ଦ୍ରକୁ ଲାପଟପ୍ କିମ୍ବା ଡେସ୍କଟପ୍ ଯୋଗାଇ ଦିଆଯିବ

କେନ୍ଦ୍ର ସରକାର ଟିକାକରଣକୁ ନେଇ ଏହି ବଡ଼ ଘୋଷଣା ପୂର୍ବରୁ ଦେଶର ବରିଷ୍ଠ ଡାକ୍ତର ଦେବୀ ସେଟ୍ଟୀ ଏବଂ ଶିଳ୍ପପତି ଅଜିମ୍ ପ୍ରେମଜୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଦେଶର ୫୦ ପ୍ରତିଶତ ଲୋକଙ୍କ ଟିକାକରଣ ସପକ୍ଷରେ ମତ ରଖିଥିଲେ । ସେହିପରି ଖୋଲା ବଜାରରେ ଟିକା ଉପଲବ୍ଧ କରିବା ସପକ୍ଷରେ ମଧ୍ୟ ସେମାନେ ଯୁକ୍ତି ରଖିଥିଲେ ।