ଭୋଟ୍ ଦେଲା ଓଡିଶା । ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଜନତା । 

119

କନକ ବ୍ୟୁରୋ : ସକାଳ ୭ଟା ବାଜିଲା ବେଳକୁ ମତଦାନ କେନ୍ଦ୍ର ଆଗରେ ଦେଖିବାକୁ ମିଳିଥିଲା ଭୋଟରଙ୍କ ଲମ୍ବାଲାଇନ୍ । ଗଣତନ୍ତ୍ରରେ ଏହି ମହାପର୍ବରେ ସାମିଲ ହେବାକୁ ଲୋକଙ୍କ ମନରେ ଥିଲା ପ୍ରବଳ ଉତ୍ସାହ । ୫ ବର୍ଷ ପାଇଁ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ଜନତାଙ୍କ ମନରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ସେହି ପରିମାଣରେ ହୃତ କମ୍ପନ ବଢ଼ିଥିଲା ନେତାଙ୍କ ମନରେ ।

ମୈଦାନରେ ତିନି ବିଧାୟକ ଦଳ ନେତା । ନବୀନ, ନରସଂହ, କେଭିଙ୍କ ଭାଗ୍ୟ ପରୀକ୍ଷା । ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ ଏଥର ମୁଖ୍ୟମନ୍ତ୍ରୀ ବିଜେପୁର ବିଧାନସଭା ଆସନରୁ ମଧ୍ୟ ଭାଗ୍ୟ ପରୀକ୍ଷା କରିଛନ୍ତି । ସେହିପରି ବଲାଙ୍ଗିର ବିଧାନସଭା ଆସନରୁ ପୁଣିଥରେ ଜନତାଙ୍କ ମତ ପରଖୁଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେପଟେ ପାଟଣାଗଡରୁ ପୁଣିଥରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ।

ବାଚସ୍ପତି ପ୍ରଦୀପ ଅମାତଙ୍କ ସମେତ ବହୁ ହେଭିୱେଟ୍ ନେତା, ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ । ବୌଦ୍ଧ ବିଧାନସଭାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଜନତାଙ୍କ ମତ ନେଇଥିବା ବେଳେ ଭଞ୍ଜନଗରରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ରାଜନୈତିକ ଭବିଷ୍ୟତ ପରଖିଛନ୍ତି । ସେହିପରି ସୋନପୁର ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅତାବିରା ବିଧାନସଭାରୁ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଭଟଲି ବିଧାନସଭାରୁ ମନ୍ତ୍ରୀ ସୁଶାନ୍ତ ସିଂହ ନିଜ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ସେହିପରି ସୁନ୍ଦରଗଡ ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବରଗଡ ଲୋକସଭା ଆସନରେ ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେପିରୁ ସୁରେଶ ପୂଜାରୀ, କନ୍ଧମାଳରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ଭାଗ୍ୟ ପରୀକ୍ଷା ହୋଇଛି ।

ସେପଟେ ଇଭିଏମରେ ତ୍ରୁଟି ଯୋଗୁଁ ୪ଟି ବୁଥରେ ଭୋଟ ଗ୍ରହଣ ହୋଇପାରିନାହିଁ । ସୁନ୍ଦରଗଡ ସଦର ବିଧାନସଭା କ୍ଷେତ୍ରର ୨ଟି ବୁଥ୍ ଓ ଦଶପଲ୍ଲା ବିଧାନସଭା ଆସନର ୨ଟି ବୁଥରେ ଆଜି ମତ ସାବ୍ୟସ୍ତ କରି ପାରିନାହାନ୍ତି ଭୋଟର । ଏହି ସବୁ ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ ।