ମହାରାଷ୍ଟ୍ରରେ ସାଥୀ ହୋଇ ଲଢିବେ ଶିବସେନା-ବିଜେପି । ଆସନକୁ ନେଇ ଭାଗ ଛିଡିଲା , ବିଜେପି-୧୪୪, ଶିବସେନା-୧୨୬ ଆସନରେ ଲଢିବେ ।

220

ମହାରାଷ୍ଟ୍ରରେ ସାଥୀ ହୋଇ ଲଢିବେ ଶିବସେନା-ବିଜେପି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଆଜି ବିଜେପି-ଶିବସେନା ମଧ୍ୟରେ ଆସନ ଅଙ୍କ ଛିଣ୍ଡିଛି । ଆସନ୍ତା ୨୧ରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ମହାରାଷ୍ଟ୍ରର ୨୮୮ ଆସନ ମଧ୍ୟରୁ ଶିବସେନା ୧୨୬ଟି ଓ ବିଜେପି ୧୪୪ଟି ଆସନରେ ଲଢିବାକୁ ସ୍ଥିର ହୋଇଛି । ସହଯୋଗୀ ଦଳ ଗୁଡିକ ଭାଗରେ ପଡିଛି ୧୮ଟି ଆସନ ।

ଏହାସହ ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବରେ ମଧ୍ୟ ଶିବସେନା ରାଜି ହୋଇଛି । ତେବେ ଏନେଇ ଔପଚାରିକ ଭାବେ କୌଣସି ଘୋଷଣା ହୋଇନାହିଁ । ଆସନ ବୁଝାମଣାକୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ଶିବସେନା ୫୦:୫୦ ଅନୁପାତରେ ଆସନ ବୁଝାମଣା ଚାହୁଁଥିବାବେଳେ ବିଜେପି ଅଧିକ ଆସନ ରଖିବାକୁ ଚାହୁଁଥିଲା । ଏହାକୁ ନେଇ ଦୁଇଦଳ ମଧ୍ୟରେ ମତଭେଦ ହୋଇଥିଲା । ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ହସ୍ତକ୍ଷେପ ପରେ ଏ ନେଇ ସହମତି ହୋଇଛି ।

ଆସନ୍ତା ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ୨୪ରେ ଫଳାଫଳ ସାମ୍ନାକୁ ଆସିବ । ତେବେ ମହାରାଷ୍ଟ୍ରରେ ପୁଣିଥରେ ସରକାର ଗଢିବାକୁ ବିଜେପି ଜୋରଦାର ପ୍ରସ୍ତୁତି କରିଥିବା ବେଳେ କଂଗ୍ରେସ ମଧ୍ୟ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁ୍ତ କରୁଛି ।