ଭିତରକନିକାରେ କୂଳ ଲଂଘୁଛି ସମୁଦ୍ର । ଆସୁଛି ବଡ ବଡ ଜୁଆର, ବିପଦରେ ପର୍ଯ୍ୟଟନସ୍ଥଳୀ

ପୁଣି କୂଳ ଲଂଘିଛି ବଂଗୋପସାଗର

125

କନକ ବ୍ୟୁରୋ : ପୁଣି କୂଳ ଲଂଘିଛି ବଂଗୋପସାଗର। ସାତଭାୟାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ସମୁଦ୍ର ତାଣ୍ଡବ ରଚୁଛି। ବାଲିପାହାଡକୁ ସମୁଦ୍ର ଜୁଆର ଗର୍ଭସ୍ଥ କରିସାରିବା ପରେ ଏବେ ଜନବସତି ଓ ଭିତରକନିକା ଜଙ୍ଗଲ ମଧ୍ୟକୁ ମାଡିଆସିଛି। ଏଭଳି ସ୍ଥିତିରେ ପପର୍ଯ୍ୟଟନସ୍ଥଳୀ ହବାଳିଖଟି ପ୍ରତି ବିପଦ ସୃଷ୍ଟି ହୋଇଛି। ହବାଳିଖଟିରେ ଥିବା ରାଉଣ୍ଡ କ୍ୟାବିନ ଟୁରିଷ୍ଟ କଟେଜ୍ ଭିତରକୁ ସମୁଦ୍ର ମାଡିଆସିବା ସହ ରାଉଣ୍ଡ କ୍ୟାବିନର କଂକ୍ରିଟ ମେଜିଆ ଓ ମେଜିଆ ତଳ ଦୁଇଫୁଟ ଗଭୀରର ବାଲି ଭସାଇ ନେଇଛି । ସମ୍ପୂର୍ଣ୍ଣ କୋଠାଟି ଯେ କୌଣସି ମୁହୂର୍ତରେ ଭୁଶୁଡି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।

 

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସୁଥିବା ଦେଶ-ବିଦେଶର ପପର୍ଯ୍ୟକଙ୍କ ପାଇଁ ଡାଙ୍ଗମାଳ ସମେତ ହବାଳିଖଟିରେ ରାତ୍ରୀ ଯାପନର ସୁବିଧା ରହିଛି। ଗୁପ୍ତିରୁ ୩ ଘଂଟା ବୋଟ୍ ଯୋଗେ ଜଳଯାତ୍ରା ପରେ ପର୍ଯ୍ୟଟକମାନେ ହବାଳିଖଟିରେ ପହଞ୍ଚି ପ୍ରକୃତିର ଶୋଭା ଉପଭୋଗ କରିଥାନ୍ତି। ସମୁଦ୍ର କୂଳଠାରୁ ୫ଶହ ମିଟର ଦୂରରେ ଜଙ୍ଗଲ ମଧ୍ୟରେ ଥିବା କଟେଜରେ ପର୍ଯ୍ୟଟକମାନେ ରହିଥାନ୍ତି। ମାତ୍ର ଗତ କିଛିଦିନ ହେଲା ସମୁଦ୍ର ୫ଶହ ମିଟର କୂଳ ଓ ଜଙ୍ଗଲକୁ ଗର୍ଭସ୍ଥ କରିସାରିଲାଣି । ଗତ ଏକମାସ ମଧ୍ୟରେ ସମୁଦ୍ର କୂଳ ଲଂଘିବା ସହ ଟୁରିଷ୍ଟ କଟେଜ ଯାଏଁ ମାଡିଆସିଛି। ଦୁଇମହଲା ବିଶିଷ୍ଟ ରାଉଣ୍ଡ କ୍ୟାବିନ ଟୁରିଷ୍ଟ କଟେଜକୁ ସମୁଦ୍ର ଜୁଆର ମାଡ ଦେଉଛି । ଟୁରିଷ୍ଟ କଟେଜର ତଳ ମହଲା କଂକ୍ରିଟ ମେଜିଆ ସହିତ ମେଜିଆ ତଳୁ ଦୁଇଫୁଟ ଗଭୀରର ବାଲିକୁ ଧୋଇନେଇଛି । ଦୁଇମହାଲା ବିଶିଷ୍ଟ ବିଲଡିଂର ପାଇଲିଙ୍ଗ ପିଲାର ଦେଖାଯାଉଛି। ବିଲଡିଂଟି ଯେକୌଣସି ମୁହୂର୍ତରେ ଭୁଶୁଡିପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ୧୦ ବର୍ଷ ତଳେ ଏହି କୋଠା ନିର୍ମାଣ ହୋଇଥିଲା। ଉପରମହଲାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀଯାପନର ବ୍ୟବସ୍ଥା ଥିବା ବେଳେ ଗ୍ରାଉଣ୍ଡ ଫ୍ଲୋରଟି ଡାଇନିଂ ଭାବେ ବ୍ୟବହାର ହେଉଥିଲା। ଗତବର୍ଷ ଏହି କୋଠାକୁ ଲାଗି ରହିଥିବା ବନ ବିଭାଗର ରୋଷେଇ ଘରକୁ ଜୁଆର ଭସାଇ ନେଇଥିଲା।

 

ଏବେ ପ୍ରତିଦିନ ସମୁଦ୍ର ଜୁଆର ହବାଳିଖଟିର ଟୁରିଷ୍ଟ କଟେଜ୍ ଉପରେ ମାଡେଦଉଛି । ଅମାବାସ୍ୟା, ପୂର୍ଣ୍ଣିମା ଓ ଲଘୁଚାପ ଜୁଆର ସମୟରେ ସମୁଦ୍ର ଜୁଆର ଟୁରିଷ୍ଟ କଟେଜ ଦେଇ ପଶିଆସୁଛି। ନୂତନ ଭାବେ ନିର୍ମାଣ ହୋଇଥିବା ଡଲଫିନ ହାଉସ ଯାଏଁ ଏହା ମାଡି ଆସୁଥିବା ବନବିଭାଗ କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି। ଗତ ଦୁଇବର୍ଷ ମଧ୍ୟରେ ବଂଗୋପସାଗର ୫ଶହ ମିଟର କୂଳ ଓ ଜଙ୍ଗଲକୁ ଗର୍ଭସ୍ଥ କରିସାରିଛି। ଶେଷରେ ଟୁରିଷ୍ଟ କଟେଜର ମେଜିଆ ଭସାଇ ନେଇଥିବାରୁ ଆଗାମୀ ଲଘୁଚାପ ଓ ବାତ୍ୟା ସମୟରେ ନୂତନ ଭାବେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଡଲଫିନ ହାଉସର ସ୍ଥାୟିତ୍ୱ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।