ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେବାକୁ ଧସ୍ତାଧସ୍ତି । ଲାଠିଚାର୍ଜ କଲା ପୋଲିସ ।

97

କନକ ବ୍ୟୁରୋ: ଆଜି ଦେଶର ଅମର ବରପୁତ୍ର ତଥା ଅନନ୍ୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜୟନ୍ତି । ଏହି ଅବସରରେ ଚାରିଆଡେ ତାଙ୍କୁ ଦିଆଯାଉଛି ପୁଷ୍ପମାଲ୍ୟ ସମ୍ମାନ । ହେଲେ ଏହାକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଛି ଅପ୍ରୀତିକର ପରିସ୍ଥିତି । ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେବାକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । ଏହାକୁ ନେଇ କଥା ଯାଇ ଧସ୍ତାଧସ୍ତିରେ ପହଞ୍ଚିଥିଲା । କ୍ରମେ ପରିସ୍ଥିତି ଏତେ ଜଟିଳ ହୋଇଯାଇଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବାକୁ ସେଠାରେ ପହଞ୍ଚିଥିଲା ସୁରକ୍ଷା ବଳ । ବାଧ୍ୟ ହୋଇ ଆରମ୍ଭ ହୋଇଥିଲା ଫାଙ୍କା ଗୁଳିଚାଳନା ଓ ଲାଠିଚାର୍ଜ ।

ଏପରି ଘଟଣା ଘଟିଛି ପଶ୍ଚିମବଙ୍ଗର ବ୍ୟାରାକପୁରରେ । ନେତାଜୀଙ୍କ ପ୍ରତମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାକୁ ସେଠାରେ ପହଞ୍ଚିଥିଲେ ଉଭୟ ଟିଏମସି ଓ ବିଜେପି ନେତା ଓ କର୍ମୀ । ହେଲେ କିଏ ଆଗ ପୁଷ୍ପମାଲ୍ୟ ଦେବ ତାହାକୁ ନେଇ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା । କ୍ରମେ ପରିସ୍ଥିତି ଏତେ ବିଗିଡି ଯାଇଥିଲା ଯେ, ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ସୁରକ୍ଷା ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଫାଙ୍କା ଗୁଳିଚାଳନା କରିବା ସହ , ପୋଲିସ ପହଞ୍ଚି ଲାଠିଚାର୍ଜ କରିଥିଲା । ବିଜେପି କର୍ମୀଙ୍କ କହିବା ଅନୁଯାୟୀ, ସିଏମସି କର୍ମକର୍ତ୍ତାମାନେ ଅର୍ଜୁନ ସିଂହଙ୍କୁ ଲକ୍ଷ୍ୟ କରି ପଥର ମାଡ କଲେ । ଏହାପରେ ତାଙ୍କ ସୁରକ୍ଷା କର୍ମୀମାନେ ଫାଙ୍କା ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିଲେ । ଅନ୍ୟପଟେ ବିନା ଦୋଷରେ ଅର୍ଜୁନ ସିଂହଙ୍କ ସୁରକ୍ଷା କର୍ମୀ ୭ ରାଉଣ୍ଡ ଗୁଳିଚଳାଇଥିବା କହିଛନ୍ତି ଟିଏମସି କର୍ମୀ ।