କନକ ବ୍ୟୁରୋ : ଚଳିତ ଟି-୨୦ ବିଶ୍ୱକପରେ ୨ ଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜ ଟିମକୁ ଲାଗିଛି ବଡ ଝଟକା । ରାଉଣ୍ଡ ପର୍ଯ୍ୟାୟ ମ୍ୟାଚରେ ଦୁର୍ବଳ ସ୍କଟଲାଣ୍ଡ ଠାରୁ ପରାଜିତ ହୋଇଛି ଚାମ୍ପିୟନ ୱେଷ୍ଟଇଣ୍ଡିଜ । ତାରକା ଖଚିତ କାରବିଆନ ଟିମକୁ ୪୨ ରନରେ ମାତ୍ ଦେଇଛି ସ୍କଟଲାଣ୍ଡ । ମ୍ୟାଚ୍ ପୂର୍ବରୁ ଫଳାଫଳ ଏମିତି ହେବ ବୋଲି କେହି ଆଶା ସୁଦ୍ଧା କରିନଥିଲେ । ତେବେ ସ୍କଟଲାଣ୍ଡ ଦମଦାର ପ୍ରଦର୍ଶନ ସହ ବିଜୟୀ ହୋଇ କ୍ରିକେଟପ୍ରେମୀଙ୍କୁ ଚକିତ କରିଛି ।

Advertisment

ହୋବାର୍ଟରେ ଖେଳାଯାଉଥିବା ଏହି ରାଉଣ୍ଡ ପର୍ଯ୍ୟାୟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । କିନ୍ତୁ ଏହି ନିଷ୍ପତ୍ତି ଦଳକୁ ଏତେଟା ସୁହାଇ ନଥିଲା । ଆଉ ଜର୍ଜ ମୁନସିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ୧୬୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିବା ୱେଷ୍ଟଇଣ୍ଡିଜ ଟିମ ପ୍ରଥମରୁ ଭଲ ଖେଳିଥିଲେ ମଧ୍ୟ ମଧ୍ୟକ୍ରମରେ ପୂରା ବିଫଳ ହୋଇଥିଲା । ଫଳରେ ସ୍କଟଲାଣ୍ଡର ଘାତକ ବୋଲିଂର ସାମ୍ନା କରି ନପାରି ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ଆଉ ମାତ୍ର ୧୧୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଅନ୍ୟପଟେ ରାଉଣ୍ଡ ପର୍ଯ୍ୟାୟର ପ୍ରଥମ ଦିନରେ ମଧ୍ୟ ସମାନ ଦଶା ଭୋଗିଥିଲା ଏସିଆ କପ ଚାମ୍ପିୟନ ଶ୍ରୀଲଙ୍କା । ଦୁର୍ବଳ ନାମ୍ବିଆ ଠାରୁ ୫୫ ରନରେ ପରାଜିତ ହୋଇଛି ଶ୍ରୀଲଙ୍କା । ଦୁଇ ପୂର୍ବତନ ବିଶ୍ୱକପ ଚାମ୍ପିୟନ ରାଉଣ୍ଡ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପରାଜିତ ହେବା ଦର୍ଶାଇଛି ଯେ, ଟି-୨୦ ଫର୍ମାଟରେ କୌଣସି ଟିମ୍ ଦୁର୍ବଳ ନୁହେଁ କି କୌଣସି ଟିମ୍ ଶକ୍ତିଶାଳୀ ନୁହେଁ ।